ଗୁଜୁରାଟ ଦଙ୍ଗା ମାମଲା: ପ୍ରମାଣ ଅଭାବରୁ ଜେଲରୁ ମୁକୁଳିଲେ ଦଙ୍ଗା ଓ ହତ୍ୟା ଅଭିଯୁକ୍ତ

ଗାନ୍ଧୀନଗର: ପ୍ରମାଣ ଅଭାବରୁ ଜେଲରୁ ମୁକୁଳିଲେ ଦଙ୍ଗା ଓ ହତ୍ୟା ଅଭିଯୁକ୍ତ । ୨୦୦୨ ଦଙ୍ଗା ମାମଲାରେ ୨୨ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି ଆଡିସନାଲ ସେସନ କୋର୍ଟ । ୨୦୦୨ରେ ଗୁଜରାଟ ଗୋଧ୍ରାରେ ସାବରମତୀ ଏକ୍ସପ୍ରେସର ଏକ ବଗି ଜଳାଇ ଦିଆଯିବା ପରଦିନ ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା । ଅଳ୍ପସଂଖ୍ୟକ ସମ୍ପ୍ରଦାୟର ୧୭ଜଣଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବାକୁ ଶବ ଜଳାଇ ଦିଆଯାଇଥିଲା । ଘଟଣାରେ ସମ୍ପୃକ୍ତ ୨୨ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା ।

ମାତ୍ର ଆବଶ୍ୟକ ପ୍ରମାଣ ଯୋଗାଡ଼ କରିବାରେ ପୋଲିସ ଅସଫଳ ହୋଇଥିବାରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଦିଆଯାଇଛି । ଦଙ୍ଗା ଓ ଦୁଇ ଶିଶୁଙ୍କ ସମେତ ୧୭ଜଣଙ୍କୁ ହତ୍ୟା କରିବା ମାମଲାରେ ଆଡିସନାଲ ସେସନ ଜଜ୍ ହର୍ଷ ତ୍ରିବେଦୀ ସେମାନଙ୍କୁ ଖଲାସ କରିଛନ୍ତି । ଦୀର୍ଘବର୍ଷ ଧରି କୋର୍ଟରେ ଶୁଣାଣି ଚାଲିଥିବା ବେଳେ ୨୨ ଅଭିଯୁକ୍ତଙ୍କ ମଧ୍ୟରୁ ୮ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୦୨ ଫେବୃଆରୀ ୨୭ତାରିଖରେ ଗୋଧ୍ରାରେ ସାବରମତି ଏକ୍ସପ୍ରେସର ଏକ ବଗିରେ ନିଆଁ ଲଗାଇ ଦିଆଯିବା ଯୋଗୁ ୫୭ଜଣଙ୍କର ମୃତ୍ୟୁ ହୋଇଥିଲା ।