ଗୁଣ୍ଟୁରରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଦୁର୍ଘଟଣାରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଗୁଣ୍ଟୁର ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ କାମ କରୁଥିବା ବେଳେ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ବିଦ୍ୟୁତ୍ ଆଘାତରେ ସମସ୍ତ ଶ୍ରମିକ ପ୍ରାଣ ହରାଇଥିଲେ ।

ମୃତକଙ୍କ ମଧ୍ୟରୁ ୫ଜଣ ଗୁଣୁପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ଗଜପତି ଜିଲ୍ଲାର । ମୃତକମାନେ ଗୁଣୁପୁର ମୋତିଲାଲ୍ ନଗରର ନବୀନ ଶବର, ପୁଲପୁଟି ଗ୍ରାମର ପାଣ୍ଡବ ଶବର, ମୋହନ ଶବର, କରୁଣାକର ଶବର, ଝୁମ୍ପାପୁର ଗ୍ରାମର ରାମମୁର୍ତି ଗମାଙ୍ଗ । ଏ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ଜିଲ୍ଲା ପ୍ରଶାସନ ସହ ନିୟମିତ ଯୋଗାଯୋଗରେ ଅଛି ଓଡ଼ିଶା ମୋ ପରିବାର । ଗୋଟିଏ ରୁମରେ ୧୦ଜଣ ଶ୍ରମିକ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

୪ଜଣ ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି । ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଶ୍ରମିକଙ୍କ ପରିବାର ଓ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି । ମୃତକଙ୍କ ପରିବାର ସଦସ୍ୟମାନେ ଗୁଣ୍ଟୁର ଅଭିମୁଖେ ଯାଇଥିବା ବେଳେ ଓଡ଼ିଶା ମୋ ପରିବାର ପକ୍ଷରୁ ମୃତଦେହ ଗୁଡ଼ିକୁ ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରାଯାଉଛି । ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ଡିଜି ଓ ଗୁରୁପୁର ଏସ୍ପିଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

Leave a Reply