ଉତ୍ତରାଖଣ୍ଡ ହଲଦ୍ବାନୀ ଦଙ୍ଗାରେ ୬ ମୃତ, ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ

ହଲଦ୍ବାନୀ: ଉତ୍ତରାଖଣ୍ଡର ହଲଦ୍ୱାନୀର ବନଭୁଲପୁରା ଥାନା ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା ସ୍ଥିତି । ଦଙ୍ଗା ଯୋଗୁଁ ୬ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୫୦ରୁ ଅଧିକ ପୋଲିସ କର୍ମୀ ଗୁରୁତର ହୋଇଛନ୍ତି । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ପୋଲିସକୁ ଦିଆଯାଇଛି ନିର୍ଦ୍ଦେଶ । ଏକ ମଦ୍ରାସାକୁ ଭାଙ୍ଗିବା ପାଇଁ ସରକାରୀ ଅଧିକାରୀମାନେ ଯାଇଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଆଇନ ଶୃଙ୍ଖଳା ସ୍ଥିତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତା’ ସହିତ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଆଜି ହଲଦ୍ୱାନୀର ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମଦ୍ରାସା ଭାଙ୍ଗିବାକୁ ଯାଇଥିବା ପ୍ରଶାସନିକ ଟିମ୍ ଓ ପୋଲିସ୍ ଉପରକୁ ଆଖପାଖରେ ରହୁଥିବା ଲୋକେ ପଥର ମାଡ଼ କରିଥିଲେ । ଜେସିବି ଦ୍ୱାରା ମଦ୍ରାସାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯିବା ମାତ୍ରେ ହୋଇଥିଲା ପଥର ମାଡ଼ । ଦୂରରୁ ଥାଇ ଲୋକେ ପଥର ଫିଙ୍ଗି ଥିଲେ । ପରେ ସେମାନେ ସେଠାରେ ଥିବା ଗାଡ଼ି ମୋଟର ଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ । ପୋଲିସ୍ ଗାଡ଼ିରେ ମଧ୍ୟ ସେମାନେ ନିଆଁ ଲଗାଇ ଦେଇଥିଲେ । ଲୋକଙ୍କ ପଥର ମାଡ଼ରେ ୫୦ରୁ ଅଧିକ ପୋଲିସ୍ କର୍ମଚାରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆହତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଟ୍ରାନ୍ସଫର୍ମରରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ଦଙ୍ଗାକାରୀ । ଫଳରେ କିଛି ଅଞ୍ଚଳ ଅନ୍ଧକାର ହୋଇଯାଇଛି ।