ପଞ୍ଚମ ଦିନରେ ଆଉ ୧୧ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ, ଇସ୍ରାଏଲରେ ସେଲିବ୍ରେସନ

1 min read

ଜେରୁଜେଲମ: ଗାଜା-ଇସ୍ରାଏଲ ଯୁଦ୍ଧ ବିରତିର ଆଜି ପଞ୍ଚମ ଦିନ । ଆଜି ୧୧ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ ଆତଙ୍କୀ । ମୁକ୍ତି ପାଇଥିବା ପଣବନ୍ଦୀ ମହିଳା ଓ ଶିଶୁ । ଏମାନଙ୍କୁ ଅକ୍ଟୋବର ୭ ତାରିଖ ଆତଙ୍କବାଦୀ ଅପହରଣ କରିଥିଲେ । ଗତକାଲି ଚତୁର୍ଥ ଦିନରେ ୧୭ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଥିଲେ ହମାସ ଆତଙ୍କୀ । ମୁକ୍ତି ପାଇଥିବା ପଣବନ୍ଦୀଙ୍କ ମଧ୍ୟରେ ଜଣେ ୪ ବର୍ଷର ଇସ୍ରାଏଲୀ ଆମେରିକୀୟ ଶିଶୁ ରହିଛି ।

୧୭ ଜଣଙ୍କ ମଧ୍ୟରେ ୧୩ ଇସ୍ରାଏଲ ନାଗରିକଙ୍କ ସହ ଥାଇଲାଣ୍ଡର ୩ ଏବଂ ଜଣେ ଋଷ ନାଗରିକ ଅଛନ୍ତି । ସେପଟେ ଗତ ତିନି ଦିନ ମଧ୍ୟରେ ଇସ୍ରାଏଲ ୬୯ ଜଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିଛି । ଇସ୍ରାଏଲ ଯୁଦ୍ଧ ବିରତି ମଧ୍ୟରେ ୧୫୦ ଜଣ ପାଲେଷ୍ଚାଇନଙ୍କୁ ମୁକ୍ତ କରିସାରିଲାଣି । ରମଲ୍ଲାରେ ସମସ୍ତ ପାଲେଷ୍ଟିନୀୟଙ୍କୁ ସ୍ବାଗତ କରାଯାଇଛି । ୱେଷ୍ଟବ୍ୟାଙ୍କର ରମଲ୍ଲାରେ ସମସ୍ତଙ୍କୁ ମୁକ୍ତ କରିଛି ଇସ୍ରାଏଲ । ବର୍ତ୍ତମାନ ସୁଦ୍ଧା ହମାସ ୫୮ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି ।

ପ୍ରଥମ ଦିନରେ ୨୪, ଦ୍ବିତୀୟ ଦିନରେ ୧୭ ଏବଂ ତୃତୀୟ ଦିନରେ ଆଉ ୧୭ ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି ହମାସ ଆତଙ୍କୀ ଅନ୍ତର୍ଜାତୀୟ ରେଡକ୍ରସ ସଂସ୍ଥାକୁ ଏହି ପଣବନ୍ଦୀଙ୍କୁ ହସ୍ତାନ୍ତର କରିଛି ହମାସ । ଏହାପରେ ସମସ୍ତେ ଇସ୍ରାଏଲକୁ ଫେରିଛନ୍ତି । ଇଜିପ୍ଟର କରିମ ସାଲମ କ୍ରସିଂ ଦେଇ ସମସ୍ତେ ମୁକ୍ତ ହୋଇଛନ୍ତି । କତାର ମଧ୍ୟସ୍ଥତାରେ ସମସ୍ତ ପଣବନ୍ଦୀଙ୍କୁ ଛାଡୁଛନ୍ତି ହମାସ ଆତଙ୍କୀ । ମାତ୍ର ୪ ଦିନ ଯୁଦ୍ଧ ବିରତି ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଇସ୍ରାଏଲ ପାଲେଷ୍ଟାଇନର ୧୫୦ ବନ୍ଦୀଙ୍କୁ ମୁକ୍ତ କରିବାକୁ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି।

ଆଗକୁ ଆଉ ୨ରୁ ୪ ଦିନ ଯୁଦ୍ଧ ବିରତି ରଖିବାକୁ ଉଦ୍ୟମ ଜାରି ରଖିଛି କତର । ହମାସ ରଖିଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ କତାର ପ୍ରୟାସ ଜାରି ରଖିଛି। ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ଉଦ୍ୟମକୁ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଯୁଦ୍ଧ ବିରତି ମଧ୍ୟରେ ଇସ୍ରାଏଲ ଗାଜାରେ ହମାସ ବାହିନୀର ୫ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରିଛି।