ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ପୁରୁଷ ବନ୍ଧୁର ହାତ

ଭୁବନେଶ୍ବର: ହତ୍ୟା ନୁହେଁ ଆତ୍ମହତ୍ୟା ! ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ରଙ୍କ ମୃତ୍ୟୁ ପଛରେ ପୁରୁଷ ବନ୍ଧୁର ହାତ। ପ୍ରମାଣ ନଷ୍ଟ ପାଇଁ ସାଂଘାତିକ ଷଡଯନ୍ତ୍ର। ପରକୀୟା ପ୍ରୀତିରୁ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ । ପୁରୁଷ ବନ୍ଧୁ ଚିତ୍ତକୁ ମଙ୍ଗଳବାର ସନ୍ଧ୍ୟା ସାଢେ ୬ଟାରୁ ୬ଟା ୪୯ ମଧ୍ୟରେ ୭ ଥର କଲ୍ କରିଥିଲେ । ଶେଷ ଥର ୨୭ ସେକେଣ୍ଡ କଥା ହେବା ପରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ । ଚିତ୍ତ ତାଙ୍କ ଘରେ ପହଞ୍ଚି ଏଭଳି ଅବସ୍ଥା ଦେଖିବା ପରେ ମୃତଦେହକୁ ଓହ୍ଲାଇଥିବା ସନ୍ଦେହ କରାଯାଉଛି । ମୃତ ଦେହ ଓହ୍ଲାଇବା ସହ ମୁହଁରେ ପାଣି ଛିଞ୍ଚିଥିଲା ଚିତ୍ତ । ତେବେ ଶୁଭଶ୍ରୀ ନଉଠିବାରୁ ଭୟରେ ଛାଡ଼ି ପଳାଇଥିଲା । ଆଜି ପୂରା ଘଟଣାର ଡେମୋ ଦେଖାଇଛି ଚିତ୍ତ । ଅଭିଯୁକ୍ତକୁ ସାଙ୍ଗରେ ଧରି ବରୁଣେଇ ପାହାଡ଼ ବାଇପାସରୁ ଏକ ଜରିରେ ଦିଆସିଲି ଖୋଳ ସହ ଓଢ଼ଣୀ ଜବତ କରିଛି ପୋଲିସ ।

୩୦୨ ଦଫାରେ ଚାଲିଥିବା ହତ୍ୟାକାଣ୍ଡ ମାମଲା ୩୦୬ ବା ଆତ୍ମହତ୍ୟାକୁ ପରିବର୍ତ୍ତନ ହୋଇଛି । ଏହାସହ ପ୍ରମାଣ ନଷ୍ଟ ପାଇଁ ଚିତ୍ତ ବିରୋଧରେ ଲାଗିଛି ଦଫା ୨୦୧ । ଉଭୟ ଶୁଭଶ୍ରୀ ଓ ଚିତ୍ତ ନୟାଗଡ଼ ଅଞ୍ଚଳର । ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ବିବାହ ପରେ ବି ଶୁଭଶ୍ରୀଙ୍କ ସହ ଚିତ୍ତ ଯୋଗାଯୋଗରେ ଥିଲେ । ପରକୀୟା ସଂପର୍କକୁ ନେଇ ଶୁଭଶ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ବେକରେ ଚୁନି ଭଳି ନରମ କପଡ଼ାରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ତେବେ ସେ ମୃତ୍ୟୁ ପୂର୍ବରୁ କୌଣସି ବିଷାକ୍ତ ଖାଦ୍ୟ ଖାଇଥିଲେ କି ନାହିଁ, ସେନେଇ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ନମୁନା ପଠାଯାଇଛି ।

ପ୍ରଶ୍ନ ଉଠୁଛି, ପ୍ରେମ ବିବାହ କରିଥିବା ଶୁଭଶ୍ରୀ ଆଉ ଜଣେ ପୁରୁଷକୁ କାହିଁକି ଭଲ ପାଉଥିଲେ ? ସ୍ବାମୀଙ୍କ ସହ ତାଙ୍କର ପୂର୍ବରୁ ଝଗଡା ଲାଗି ରହୁଥିଲା କି ? ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହେଉଥିଲା କି ?  ଫୋରେନସିକ ରିପୋର୍ଟ ପୂରା ଘଟଣାରୁ ପର୍ଦ୍ଦା ହଟାଇ ପାରିବ ବୋଲି ଆଶା କରାଯାଉଛି । ସେପଟେ କେବଳ ଚିତ୍ତରଞ୍ଜନ ନା ଆଉ କେହି ଶୁଭଶ୍ରୀଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । କିଛିଦିନ ତଳେ ଚିତ୍ତ ଓ ଶୁଭଶ୍ରୀ ଯାଇଥିବା ଏକ ହୋଟେଲରେ ମଧ୍ୟ ଯାଞ୍ଚ କରିବ କମିଶନରେଟ ପୋଲିସ ।