ହରିଦ୍ୱାର କୁମ୍ଭରେ ମିଛ କରୋନା ଟେଷ୍ଟକୁ ନେଇ ମାମଲା ରୁଜୁ, ମୁଖ୍ୟମନ୍ତ୍ରୀ କହିଲେ ‘ମୋ ସମୟର ନୁହେଁ ଘଟଣା’

1 min read

ଡେରାଡୁନ୍: ଏପ୍ରିଲରେ ହୋଇଥିବା ହରିଦ୍ୱାର କୁମ୍ଭ ମେଳାରେ କେବଳ କାଗଜ କଲମରେ ହଜାର ହଜାର ସଂଖ୍ୟାରେ କୋଭିଡ୍ ଟେଷ୍ଟ କରାଯାଇଥିଲା । ଏନେଇ ପୋଲିସ ଏକ କମ୍ପାନୀ ସମେତ ୨ଟି ଘରୋଇ ଲାବ ବିରୋଧରେ ଅଲଗା ଅଲଗା ଧାରାରେ ମାମଲା ରୁଜୁ କରିଛି । ହରିଦ୍ୱାରର ମୁଖ୍ୟ ମେଡିକାଲ ଅଧିକାରୀଙ୍କ ସୁପାରିସ୍ କ୍ରମେ ମ୍ୟାକ୍ସ କର୍ପୋରେଟ୍ ସର୍ଭିସ୍, ଦିଲ୍ଲୀର ଲାଲଚନ୍ଦିନୀ ଓ ହିସାର ନାଲୱା ଲାବ ବିରୋଧରେ ଧୋକା, ମହାମାରୀ ଆଇନ୍, ଅପରାଧିକ ଷଡ଼ଯନ୍ତ୍ର ଆଦି ଧାରାରେ ମାମଲା ହୋଇଛି ।

ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ବେଳେ ହରିଦ୍ୱାରରେ କୁମ୍ଭମେଳା ହୋଇଥିଲା । ଏହା ପୂର୍ବରୁ ସ୍ଥାନୀୟ ପ୍ରଶାସନ ୨୨ଟି ଲାବ ସହ କରୋନା ଟେଷ୍ଟ ପାଇଁ ରାଜିନାମା କରିଥିଲା । ସେଥିମଧ୍ୟରୁ ଏକ କମ୍ପାନୀ ଥିଲା ମ୍ୟାକ୍ସ କର୍ପୋରେଟ୍ ସର୍ଭିସ୍ । ଯାହା ପାଖରେ ୨ଟି ଲାବ୍ ଥିଲା । ଏହି ଲାବରେ ହୋଇଥିବା ହଜାର ହଜାର ଟେଷ୍ଟିଂ ସନ୍ଦେହ ଘେରରେ । ଯେତେବେଳେ ପଞ୍ଜାବର ଜଣେ ଯୁବକଙ୍କ ମୋବାଇଲକୁ ମେସେଜ ଆସିଲା କି ତାଙ୍କ ରିପୋର୍ଟ କୋଭିଡ୍ ନେଗେଟିଭ୍ ତ ସନ୍ଦେହ ଆହୁରି ବଢ଼ିଲା । କାରଣ ଯୁବକ ଜଣଙ୍କ କେବେ ହରିଦ୍ୱାର ହିଁ ଯାଇନଥିଲେ । ଯୁବକ ଏନେଇ ଆଇସିଏମଆରକୁ ଅଭିଯୋଗ କରିବା ପରେ ICMR ଉତ୍ତରାଖଣ୍ଡର ଅଧିକାରୀଙ୍କୁ ଜଣାଇଥିଲେ । ଏହା ପରେ ଯାଞ୍ଚରୁ ଜଣା ପଡ଼ିଥିଲା ହଜାର ହଜାର ସଂଖ୍ୟାରେ ମିଛ କୋଭିଡ୍ ଟେଷ୍ଟ ହୋଇଛି ।

Haridwar Kumbh Covid Testing Scam FIR Filed Against Max Corporate Society

ଏବେ ଏହାକୁ ନେଇ ରାଜନୀତିକ ରୁଟି ସେକା ଆରମ୍ଭ ହୋଇ ଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଏହି ମାମଲାରେ ଏସଆଇଟି ଯାଞ୍ଚ ଦାବି କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କହିବା କଥା, ମାମଲା କେବଳ ଟଙ୍କାର ନୁହେଁ, ଏହା ଲୋକଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ । ଏହି ମାମଲାରେ ଅଭିଯୁକ୍ତ କମ୍ପାନୀ ପ୍ରାୟ ୩ କୋଟି ଟଙ୍କା ପାଇବାକୁ ଥିବାବେଳେ ଦିଆଯାଇ ନାହିଁ ।

ମିଛ କୋଭିଡ୍ ଟେଷ୍ଟ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । କହିଛନ୍ତି, ମିଛ କୋଭିଡ୍ ଟେଷ୍ଟ ମାମଲା ତାଙ୍କ ସମୟର ନୁହେଁ । ସେ ତ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ହୋଇଥିଲେ କହି ଖସିଯିବାକୁ ବସିଛନ୍ତି । ମାମଲାକୁ ନେଇ କଂଗ୍ରେସ ଘେରିଥିବା ବେଳେ ସିବିଆଇ ତଦନ୍ତ ଦାବି କରିଛି ଦଳ । କୁମ୍ଭ ସମୟରେ ପ୍ରାୟ ୪ ଲକ୍ଷ କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ଏବେ ୨ଟି ଲାବର ରିପୋର୍ଟ ସନ୍ଦେହ ଘେରରେ ଥିବାରୁ ଅନ୍ୟ ଲାବର ରିପୋର୍ଟ ଯାଞ୍ଚ ନେଇ ଚର୍ଚ୍ଚା ଚାଲିଛି ।

Leave a Reply