ହରିୟାଣରେ କୃଷକ ଆନ୍ଦୋଳନ; ଆସନ୍ତା ୧୩ରେ ଦିଲ୍ଲୀ ଚଲୋ ଡାକରାରେ ସାମିଲ ହେବେ ଚାଷୀ

ବ୍ୟୁରୋ ରିପୋର୍ଟ: ହରିୟାଣାରେ ଚାଷୀ ଆନ୍ଦୋଳନ। ଆସନ୍ତା ୧୩ ତାରିଖରେ ହରିୟାଣାର ଚାଷୀ ‘ଦିଲ୍ଲୀ ଚଲୋ’ ନାରା ଦେଇଛନ୍ତି। ଚାଷୀଙ୍କ ଅମଳ ଫସଲର ସର୍ବନିମ୍ନ ମୂଲ୍ୟ ପ୍ରଦାନ ନେଇ ନୀତି ପ୍ରଣୟନ ଦାବି କରି ଚାଷୀ ଏହି ଶୋଭାଯାତ୍ରା କରିବେ ହଜାର ହଜାର ସଂଖ୍ୟାରେ ଚାଷୀ। ଏହି ଆନ୍ଦୋଳନରେ ୨ ଶହରୁ ଅଧିକ କୃଷକ ସଂଗଠନର ସମର୍ଥନରେ ଦିଲ୍ଲୀ ଚଲୋ ଶୋଭାଯାତ୍ରା ଘୋଷଣା କରିଛନ୍ତି। ଏହାକୁ ନେଇ ହରିୟାଣାରେ ପୋଲିସର କଡ଼ା ପହରା। ୭ ଜିଲ୍ଲାରେ ମୋବାଇଲ ଫୋନ ସହ ଇଣ୍ଟରନେଟ ସେବା ବନ୍ଦ କରିଛି ପ୍ରଶାସନ।

ଆଜି ସକାଳ ୬ଟାରୁ ଆସନ୍ତା ୧୩ ତାରିଖ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ଅମ୍ଵାଲା, କୁରୁକ୍ଷେତ୍ର, କୈଥଲ, ଜୀନ୍ଦ, ହିସାର, ଫତେହାବାଦ ଏବଂ ସିରସା ଜିଲ୍ଲାରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ମୋବାଇଲରେ ଏକାଧିକ ଏସଏମଏସ ପଠାଇବା ଉପରେ ମଧ୍ୟ ରୋକ ଲାଗିଛି। ରାସ୍ତା ଉପରେ ସିମେଣ୍ଟ ବାରିକେଡ ସହ ଲୁହାକଣ୍ଟା ସବୁ ପୋତାଯାଇଛି। ବହୁତ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଚାଷୀଙ୍କ ଆନ୍ଦୋଳନ ରୋକିବାକୁ ହରିୟାଣା ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଏଭଳି କଡ଼ା ନିଷ୍ପତ୍ତି ନିଆଯାଇଛି। ଚାଷୀ ଆନ୍ଦୋଳନ ରୋକିବାକୁ ପ୍ରଶାସନ ପକ୍ଷରୁ ରୁଟ୍ ପରିବର୍ତ୍ତନ ଏବଂ ସାତ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଞ୍ଜାବ ଏବଂ ହରିୟାଣା ସୀମା ସଂଲଗ୍ନ ସମସ୍ତ ଅଂଚଳକୁ ସିମେଣ୍ଟ ବାରିକେଡ ସହ କଣ୍ଟାଯୁକ୍ତ ତାର ବିଛାଇ ସିଲ୍ କରିଦିଆଯାଇଛି। ହରିୟାଣାର ଅନେକ ଜିଲ୍ଲାରେ ଧାରା ୧୪୪ ଲଗାଯାଇଛି। ରାଜ୍ୟ ପୋଲିସ ସହ ସିଆରପିଏଫ ଏବଂ ଅନ୍ୟ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି।

ଅପରପଟେ ଆନ୍ଦୋଳନ ପୂର୍ବରୁ ଚାଷୀ ନେତା ସରବନ ସିଂ ପାନ୍ଧେରଙ୍କୁ ଆସନ୍ତା କାଲି ଆଲୋଚନା ନେଇ ୩ କେନ୍ଦ୍ରମନ୍ତ୍ରୀ ଡାକିଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଅର୍ଜୁନ ମୁଣ୍ଡା ଏବଂ ନିତ୍ୟାନନ୍ଦ ରାୟ ଆସନ୍ତାକାଲି ଏହି ଆଲୋଚନା ପାଇଁ ଚଣ୍ଡୀଗଡ଼ରେ ପହଞ୍ଚିବେ। ୭ ଜିଲ୍ଲାରେ ମୋବାଇଲ ଫୋନ ଓ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଚାଷୀ ନେତା।