ହରିଆଣା ଗୁରୁଗ୍ରାମରେ ହାଇଭୋଲଟେଜ ଲଢେଇ

ନନ୍ଦିଘୋଷ ବ୍ୟୁରୋ : ହରିଆଣା ଗୁରୁଗ୍ରାମରେ ଏଥରେ ଦେଖିବାକୁ ମିଳିବ ହାଇଭୋଲଟେଜ ଲଢେଇ । ସେଠାରୁ ଭାଗ୍ଯ ପରୀକ୍ଷା କରୁଛନ୍ତି ଅଭିନେତା ରାଜ ବବର । ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ । ୨୦୦୯ରୁ ବର୍ତ୍ତମାନ ଯାଏ ସାଂସଦ ଅଛନ୍ତି ରାଓ ଇନ୍ଦ୍ରଜିତ ସିଂ । ସେ ୨୦୨୧ରୁ ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଆସିଛନ୍ତି । ତାଙ୍କୁ ଟକ୍କର ଦେବା ଅଭିନେତା ରାଜ ବବର ଲାଗି ସହଜ ହୋଇ ନପାରେ । ଜନତା ଦଳ, ସମାଜବାଦୀ ପାର୍ଟି ପରେ କଂଗ୍ରେସରେ ଯୋଗ ଦେଇଥିଲେ ରାଜ । ୨୦୦୪ରେ ଆଗ୍ରାରୁ ସମାଜବାଦୀ ପାର୍ଟିର ଲୋକସଭା ସାଂସଦ ଥିଲେ ରାଜ ବବର । ପରେ ସେ କଂଗ୍ରେସରୁ ୨୦୦୯ରେ ଡିମ୍ପଲ ଯାଦବଙ୍କୁ ପରାସ୍ତ କରି ଫିଜୋଜାବାଦରୁ ବିଜୟୀ ହୋଇଥିଲେ । ସେ ଉତ୍ତରପ୍ରଦେଶ ପିସିସି ସଭାପତି ଥିଲେ ଏବଂ ରାଜ୍ଯସଭା ସାଂସଦ ବି ଥିଲେ ।

ସେପଟେ ହରିଆଣା ସିର୍ସାରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିଓ୍ବେଟ କୁମାରୀ ଶୈଳଜା । ସେ ଥରେ ରାଜ୍ଯସଭା ସାଂସଦ ଥିଲେ ଏବଂ କେନ୍ଦ୍ର ପର୍ଯ୍ୟଟନ, ସାମାଜିକ ନ୍ଯାୟ ବିଭାଗ ମନ୍ତ୍ରୀ ଥିଲେ । ଶୈଳଜାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ଅଶୋକ ତନଓ୍ବର । ସେ ସିର୍ସା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ଦୁଇ ଥର ହାରିଥିଲେ । ୨୦୦୯ରେ ସେ କଂଗ୍ରେସରୁ ବିଜୟୀ ହୋଇଥିଲେ । ତେଣେ ଉତ୍ତରପ୍ରଦେଶ ଫରିଦାବାଦରୁ ଭାଗ୍ଯ ପରୀକ୍ଷା କରୁଛନ୍ତି କେନ୍ଦ୍ର ଭାରୀ ଶିଳ୍ପ ଓ ଶକ୍ତିମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର । ସେ ୨୦୧୪ରେ ବି ଏହି ଆସନରୁ ବିଜୟୀ ହୋଇଥିଲେ । ଗୁର୍ଜରଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ମହେନ୍ଦର ପ୍ରତାପ ସିଂ ।