ହାଥରସ୍‌ ଗଣଦୁଷ୍କର୍ମ ଘଟଣା: ୪୦ ଗ୍ରାମବାସୀଙ୍କୁ ଜେରା କଲା ଏସ୍‌ଆଇଟି

1 min read
Hathras

ଉତ୍ତର ପ୍ରଦେଶ: ହାଥରସ ଗଣଦୁଷ୍କର୍ମ ଘଟଣାରେ ଗ୍ରାମବାସୀଙ୍କୁ ଜେରା କରିଛି ଏସ୍‌ଆଇଟି । ଗୁରୁବାର ୪୦ ଜଣଙ୍କୁ ହାଜର ହେବାକୁ ଏସଆଇଟି ନୋଟିସ୍‌ ଦେଇଥିଲା । ଯେଉଁମାନେ ଅନ୍ତ୍ୟେଷ୍ଟି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଶୁକ୍ରବାର ଜଣ ଜଣ କରି ସମସ୍ତଙ୍କୁ ଜେରା କରିଛି ଟିମ୍‌ ।

ସପଟେ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ଉତ୍ତର ପ୍ରଦେଶ DIG । ପରିବାର ଲୋକଙ୍କୁ ଭେଟିବା ସହ ସେମାନଙ୍କ ସୁରକ୍ଷା ଓ ଭଲମନ୍ଦ ବିଷୟରେ ପଚାରି ବୁଝିଛନ୍ତି DIG ଶଲଭ ମାଥୁର । ତେବେ ପୀଡିତାଙ୍କ ପରିବାର ପକ୍ଷରୁ ସୁରକ୍ଷା ପ୍ରସଙ୍ଗରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଆବେଦନରେ ପରିବାର ଲୋକେ ଦର୍ଶାଇଥିଲେ ଯେ, ସେମାନେ ଘରେ ଥିଲେ ସୁଦ୍ଧା ତାଙ୍କୁ ଜେଲ ପରି ଲାଗୁଛି । ପୋଲିସ ପ୍ରତି କ୍ଷେତ୍ରରେ ପ୍ରତିବନ୍ଧକ ଲଗାଉଛି । ତେଣୁ ତାଙ୍କୁ ଅନ୍ୟମାନଙ୍କ ସହ ମିଶିବାର ସୁଯୋଗ ମିଳିପାରୁ ନାହିଁ । ପରିବାର ଲୋକଙ୍କୁ ଅନ୍ୟ ଲୋକଙ୍କ ସହ ମିଶିବା ପାଇଁ ସୁଯୋଗ ଦେବା ସହ ସୁରକ୍ଷା ବ୍ୟବସ୍ଥାରେ ସାମାନ୍ୟ କୋହଳ କରାଯାଉ ବୋଲି ପରିବାର ଲୋକ ଦାବି କରିଥିଲେ ।

Hathras

ଅନ୍ୟପଟେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କ ପରିବାର ଲୋକେ । ଘଟଣା ଦିନ ସେମାନଙ୍କ ମଧ୍ୟରୁ କିଏ ଗାଁରେ ନଥିଲେ ତ ଆଉ କିଏ ଘରେ ଥିଲେ ବୋଲି କହିଛନ୍ତି ଅଭିଯୁକ୍ତଙ୍କ ପରିବାର ସଦସ୍ୟ ।

ତେବେ ଗଣଦୁଷ୍କର୍ମ ଘଟଣାରେ ହାଥରସ୍‌ରେ ଦଙ୍ଗା ସୃଷ୍ଟି ହୋଇଥିଲା । ଏହି ଦଙ୍ଗା ପାଇଁ ବିଦେଶୀ ପୁଞ୍ଜି ଲାଗିଥିବା ଆଶଙ୍କା କରାଯାଉଛି । ତେଣୁ ଏହି ବିଦେଶୀ ପୁଞ୍ଜି କେଉଁଠୁ ଆସିଲା ସେନେଇ ତଦନ୍ତକୁ ଜୋରଦାର କରାଯାଉଛି ।

Leave a Reply