spot_img

Latest Posts

‘ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁଙ୍କର ମସ୍ତିଷ୍କ ଠିକରେ ବିକାଶ ହେଉନି’

ନନ୍ଦିଘୋଷ ବ୍ୟୁରୋ : ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁଙ୍କର ମସ୍ତିଷ୍କ ଯେମିତି ବିକାଶ ହେବା କଥା ହେଉନି। ବଡ଼ ହେଲେ ଉଚ୍ଚଶିକ୍ଷାରେ ହେଉଛନ୍ତି ଅସଫଳ । ରୋଜଗାର କରିବାରେ ବି ସକ୍ଷମ ହେଉନାହାନ୍ତି । ପ୍ରି-ଟର୍ମ ଶିଶୁଙ୍କ ଉପରେ ଗବେଷଣା କରି ଏପରି ନୂଆ ତଥ୍ୟ ଆବିଷ୍କାର କରିଛନ୍ତି କାନାଡ଼ା ଶିଶୁ ହସ୍ପିଟାଲ ବୈଜ୍ଞାନିକ । ୧୯୯୦ରୁ ୧୯୯୬ ଭିତରେ ଜନ୍ମ ନେଇଥିବା ୨୪ ଲକ୍ଷ ଶିଶୁଙ୍କର ବ୍ୟବହାର ଅନୁଶୀଳନ କରାଯାଇଥିଲା। ସେମାନେ ୨୦ରୁ ୩୦ ବର୍ଷ ବୟସରେ ପହଞ୍ଚିବା ପରେ ଉଚ୍ଚଶିକ୍ଷାରେ ଫେଲ୍ ମାରୁଛନ୍ତି । ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ଏଭଳି ଶିଶୁ ବଡ଼ ହେଲେ ସେମାନଙ୍କ ଭିତରୁ ମାତ୍ର ୧୬ ପ୍ରତିଶତ ସ୍ନାତକ ଡିଗ୍ରୀ ହାସଲ କରିବାରେ ସମର୍ଥ ହେଉଛନ୍ତି। ଭଲ ଚାକିରି ପାଉନାହାନ୍ତି କି ଅନ୍ୟ ରୋଜଗାର ପନ୍ଥା ବି ଆପଣାଇ ପାରୁନାହାନ୍ତି । ଏପରିକି ଜୀବନରେ ଆସୁଥିବା ବାଧା ବିଘ୍ନକୁ ମଧ୍ୟ ସାମ୍ନା କରିପାରୁନାହାନ୍ତି । ଶିଶୁ ରୋଗ ବିଶେଷଜ୍ଞଙ୍କ ମତରେ ଗର୍ଭାବସ୍ଥାର ୩୭ ସପ୍ତାହ ପୂର୍ବରୁ ଜନ୍ମନେଉଥିବା ଶିଶୁଙ୍କ ପ୍ରି-ମେଚିୟୋର୍ ଶିଶୁ କୁହାଯାଏ । ବିଶେଷକରି ଯେଉଁ ମା’ଙ୍କର ଗର୍ଭାବସ୍ଥାରେ ରକ୍ତଚାପ ଓ ମଧୁମେହ ରୋଗ ଥିବ, ସେସବୁ ମା’ଙ୍କର ଛୁଆ ସମୟ ପୂର୍ବରୁ ଜନ୍ମ ନେବା ସମ୍ଭାବନା ଅଧିକ । ଏବର ଜୀବନଶୈଳୀ ଓ ଅସନ୍ତୁଳିତ ଆହାର ଯୋଗୁ ଏପରି ଗର୍ଭବତୀଙ୍କ ସଂଖ୍ୟା ବଢିଚାଲିଛି। ଯଦି ନିୟମିତ ଡାକ୍ତରଙ୍କ ପରାମର୍ଶ ନ ନିଆଯାଏ, ତାହେଲେ ପ୍ରି-ଟର୍ମ ଶିଶୁ ଜନ୍ମ ହୋଇଥାନ୍ତି।
ଗର୍ଭଧାରଣର ୨୪ରୁ ୨୭ ସପ୍ତାହରେ ଜନ୍ମ ହେଉଥିବା ଶିଶୁଙ୍କ ଅବସ୍ଥା ସାଂଘାତିକ ହୋଇଥାଏ। ଏପରି ଶିଶୁଙ୍କ ବଞ୍ଚିବା ଆଶା କମ୍। ଯଦି ବା ବଞ୍ଚନ୍ତି, ତାହେଲେ ସେମାନେ ବଡ଼ ହେବା ମାତ୍ରେ ମାନସିକ ସ୍ଥିତି ଭଲ ରହେନି। ଏଭଳି ଶିଶୁଙ୍କୁ ଚିକିତ୍ସା କରିବା ଜଟି। ଜନ୍ମ ହେବାର ୫ ବର୍ଷ ପରେ ମାନସିକ ରୋଗ ବିଶେଷଜ୍ଞଙ୍କ ଚିକିତ୍ସାରେ ରଖିବା ଦରକାର। ନିୟମିତ ଔଷଧ ଖାଇଲେ ସେମାନଙ୍କ ମସ୍ତିଷ୍କର ସନ୍ତୁଳନ ଆସିବାରେ କିଛିଟା ସହାୟକ ହୋଇପାରିବ ।
ସମୟ ପୂର୍ବରୁ ଜନ୍ମ ନେଉଥିବା ଶିଶୁଙ୍କର ମଧ୍ୟ ସମ୍ମାନର ସହ ବଞ୍ଚିବାର ପୂର୍ଣ୍ଣ ଅଧିକାର ରହିଛି । ସେମାନଙ୍କୁ ସୁସ୍ଥ ନାଗରିକ କରି ଗଢ଼ି ତୋଳିବା ପାଇଁ ସରକାରଙ୍କ ନୀତି ନିର୍ଦ୍ଧାରକ ଏବେଠୁ ଗୁରୁତର ସହ ବିଚାର କରିବା ଦରକାର।

Latest Posts

Don't Miss