ଓସେପା କାର୍ଯ୍ୟାଳୟରେ ମହାଭାରତ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଭିଯୋଗ ଶୁଣାଣି ପାଲଟିଲା ପ୍ରତିବାଦ ସଭା
1 min read
ନନ୍ଦିଘୋଷ ବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଭିଯୋଗ ଶୁଣାଣି ପାଲଟିଲା ପ୍ରତିବାଦ ସଭା । ଓସେପା କାର୍ଯ୍ୟାଳୟରେ ଚାଲିଥିବା ଏହି ଶୁଣାଣିରେ ଅଭିଭାବକଙ୍କ ସମେତ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଧାରଣା ଦେବା ସହ ଅଧିକାରୀଙ୍କୁ ରୁମରେ ବନ୍ଦ ରଖାଯାଇଥିଲା । ପାରଦର୍ଶୀ ପୋର୍ଟାଲରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଏହି ପ୍ରତିବାଦ କରାଯାଇଛି । ଯୋଗ୍ୟ ଗରିବ ପିଲା କିପରି ମାଗଣା ଶିକ୍ଷାରୁ ବଞ୍ଚିତ ହେଲେ, ସେ ନେଇ ଆପତ୍ତି କରିଥିଲେ ଅଭିଭାବକ । ଶୀଘ୍ର କମିଟି କରି ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରଖାଯାଇଛି ।
ଭୁବନେଶ୍ବର ଡମଣା ଅଞ୍ଚଳର ବର୍ଷା ଭୂୟାଁ । ଖଣ୍ଡିଗିରି ଅଞ୍ଚଳର ଶୁଚିସ୍ମିତା ରାଉତରାୟ । ଆର୍ଥିକ ସ୍ତରରେ ଅନଗ୍ରସର ଥିବା ଏପରି ଅନେକ ଅଭିଭାବକ ପାରଦର୍ଶୀ ପୋର୍ଟାଲରେ ଘରୋଇ ସ୍କୁଲରେ ନିଜ ପିଲାର ମାଗଣା ଶିକ୍ଷା ପାଇଁ ଆବେଦନ କରିଥିଲେ । ହେଲେ ପାରଦର୍ଶୀ ପୋର୍ଟାଲରେ ମହାଘୋଟଲା ଅଭିଯୋଗ ହୋଇଛି । ଓସେପା କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣିରେ ଶହ ଶହ ଅଭିଭାବକ ଏ ପ୍ରସଙ୍ଗ ଉଠାଇଥିଲେ । ହେଲେ ସରକାରୀ ଅଧିକାରୀଙ୍କ ପାଖରୁ କୌଣସି ସ୍ପଷ୍ଟ ଉତ୍ତର ନ ପାଇବାରୁ ଓଡ଼ିଶା ଅଭିଭାବକ ମହାସଂଘ ସହ ମିଶି ପ୍ରତିବାଦ କରିଥିଲେ । ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚ୍ୟାମ୍ବର ଆଗରେ ଧାରଣା ଦେଇଥିଲେ ଅଭିଭାବକ ଓ ଓଡ଼ିଶା ଅଭିଭାବକ ମହାସଂଘ । ଏପରିକି ସମସ୍ୟାର ସମାଧାନ ନ ହେବା ଯାଏଁ ସରକାରୀ ଅଧିକାରୀଙ୍କୁ ରୁମ ବାହାରକୁ ବାହାରିବାକୁ ଦେଇ ନଥିଲେ । ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ପାରଦର୍ଶୀ ପୋର୍ଟାଲରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ସବୁ ସ୍କୁଲରେ ସିଟ ଥାଇ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସିଟ ମିଳିନାହିଁ । ୩୬ ହଜାର ୬୯୫ ପଞ୍ଜିକରଣରୁ ୮ ହଜାର ୧୦୦ ନାକଚ ହେବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା ।
ସେପଟେ ୫୨୩୪ ଆବେଦନକୁ ଗ୍ରହଣ କରି ବି ସିଟ ମିଳିନି । ଚଳିତ ଶିକ୍ଷା ବର୍ଷରେ ଜାଣିଶୁଣି ପାରଦର୍ଶୀ ପୋର୍ଟାଲରେ ପଞ୍ଜିକରଣ ପାଇଁ ବହୁ ବିଳମ୍ବ କରିଥିଲେ ବୋଲି ପୂର୍ବରୁ ଓଡ଼ିଶା ଅଭିଭାବକ ମହାସଂଘ ପ୍ରତିବାଦ କରିଥିଲା । ରାଜରାସ୍ତାରେ ଆମରଣ ଅନଶନ ବି ହୋଇଥିଲା । ବାଧ୍ୟ ହୋଇ ଗଣଶିକ୍ଷା ସଚିବ ପରବର୍ତ୍ତୀ ପର୍ଯ୍ୟାୟରେ ମାର୍ଚ୍ଚ ୧୮ରେ ପାରଦର୍ଶୀ ପୋର୍ଟାଲ ଖୋଲିଥିଲେ । ସେତେବେଳେ ବହୁତ କମ ସ୍କୁଲ ଅର୍ଥାତ ୨୧୦୯ଟି ସ୍କୁଲ ପଞ୍ଜିକରଣ କରିଥିଲେ । ଧୀରେ ଧୀରେ ପ୍ରତିଦିନ ୨୦ରୁ ୩୦ ସ୍କୁଲ ପଞ୍ଜିକରଣ କରିବାରୁ ଶେଷ ଦିନରେ ସ୍କୁଲ ସଂଖ୍ୟା ୩୯୯୩ରେ ପହଞ୍ଚିଥିଲା । ଯାହା ହିସାବରେ ସିଟ ସଂଖ୍ୟା ବଢ଼ିକି ୫୦ ହଜାର ହୋଇଥିଲା ।
ଗରିବ ପିଲାଙ୍କୁ ନେଇ ସିଟ୍ ଆଲଟମେଣ୍ଟ ବିବାଦ ସଂପର୍କରେ ସରକାରୀ ଅଧିକାରୀ ମୁହଁ ଖୋଲିବାକୁ ନାରାଜ । ଏକ କମିଟି ଜରିଆରେ ନାକଚ ହୋଇଥିବା ଆବେଦନ ଗୁଡ଼ିକୁ ପୁନଃ ଯାଞ୍ଚ କରିବା ନେଇ ସରକାର ଯୋଜନା କରୁଥିବା ନେଇ ସୂଚନା ମିଳିଛି ।