ଆଗାମୀ ୪ରୁ ୫ ଦିନ ଯାଏଁ କଲବଲ କରିବ ତାତି

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର ଏପ୍ରିଲ ମାସର ତାପମାତ୍ରା । ବିଗତ ୧୨ ଦିନ ହେବ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଲଗାତାର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି। ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ।

ଖାଲି ସେତିକି ନୁହେଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନର ତାପମାତ୍ରାରେ ଆହୁରି ୨ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବ। ଏହାସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ। ରାଜ୍ୟର ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ରହିବା ସହ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆର୍ଦ୍ରତା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି। ୪୧.୪ ଡିଗ୍ରୀ ସହ ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଛି। ଭୁବନେଶ୍ୱରରେ ତାପମାତ୍ର ୪୧.୨, କେନ୍ଦୁଝର ୪୦.୬, ବାଲେଶ୍ୱର ୪୦.୧, ସମ୍ବଲପୁର ୪୦, ଚାନ୍ଦବାଲି ୩୯.୬, ହୀରାକୁଦ ୩୯, ରାଉରକେଲା ୩୮.୬, ଗୋପାଳପୁର ୩୪.୪, ପୁରୀ ୩୪.୪ ଓ ପାରାଦୀପରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।