ଘନ କୁହୁଡିରେ ଆକ୍ତାମାକ୍ତା ଜନଜୀବନ, ୨୦୦ ମିଟର ହେଉଛି ଦୃଶ୍ୟମାନ

ଭୁବନେଶ୍ବର: ହାଲୁକା ଶୀତ ସହ ଘନ କୁହୁଡିରେ ଆକ୍ତାମାକ୍ତା ହେଉଛି ଜନଜୀବନ । ଉପାନ୍ତରୁ ଉପକୂଳ ସବୁଠି ଦେଖାଦେଇଛି ଏଭଳି ପାଗ । ଆସନ୍ତା ୨ ଦିନ ପରେ ପୁଣି ବଢିବ ଶୀତ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂ୍ର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଜାଡ ବଢିବ ।

ବିଶେଷ କରି କଳାହାଣ୍ଡି, କନ୍ଧମାଳ, ଫୁଲବାଣୀ, ନବରଙ୍ଗପୁର, ନୂଆପଡା, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଭଳି ଜିଲ୍ଲାରେ ହାଡଭଙ୍ଗା ଶୀତ ଅନୁଭୁତ ହେବାର ସମ୍ଭାବନା ରହିଛି । ଶୀତ ସହ ଆଜି ଏବଂ ଆସନ୍ତାକାଲି ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଆଜି ୨୨ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ କାଲି ୧୨ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହି ସବୁ ଜିଲ୍ଲାରେ ୫୦ ମିଟରରୁ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ରହିବ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହୁଥିବା ବେଳେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଛି । ଫଳରେ ଉଭୟ ଦିନ ଏବଂ ରାତ୍ରୀର ତାପମାତ୍ରା କମିବା ସହ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ତେବେ ଦୁଇ ଦିନ ପରେ ଶୀତ ବଢିବା ସହ କୁହୁଡି କମିବ ବୋଲି ଆକଳନ କରାଯାଇଛି । ଘନ କୁହୁଡି ସମୟରେ ଗାଡ଼ି ଚାଳକମାନେ ସତର୍କତାର ସହ ଗାଡି ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।