ଲଗାଣ ବର୍ଷାରେ ବେହାଲ ଓଡ଼ିଶା, ଜଳବନ୍ଦୀରେ ରାଜ୍ୟର ବିଭିନ୍ନ ଅଞ୍ଚଳ

1 min read

ଭୁବନେଶ୍ୱର: ଲଗାଣ ବର୍ଷାରେ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ପାଣି। ଗତକାଲି ରାତିରେ ମନ୍ଦିର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡ ଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ବର୍ଷାପାଣି ପ୍ରବେଶ କରିବା ଯୋଗୁଁ ମଣିବାବାଙ୍କ ବିଗ୍ରହ ବୁଡିଯାଇଥିଲା। ଫଳରେ ଆଜି ସକାଳେ ମଙ୍ଗଳ ଆଳତୀ ନୀତି ସମେତ ଅନ୍ୟାନ୍ୟ ନୀତିରେ ବିଳମ୍ବ ଦେଖା ଦେଇଛି। ୩ ବର୍ଷ ତଳେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମରାମତି ହୋଇଥିଲେ ମଧ୍ୟ ଏବେ ପୁଣି ସମସ୍ୟା ଦେଖାଦେଇଛି ।

ଅନ୍ୟପଟେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ମୁଗଗଡିଆ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏଁ ଉଚ୍ଚରେ ପାଣି ଚାଲିଛି । ଲଗାଣ ବର୍ଷାରେ ରାସ୍ତାରେ ଘାଇ, ୩ଟି ଗାଁର ପ୍ରାୟ ଦେଢ ଶହ ପରିବାର ଜଳବନ୍ଦୀ । ଗାଁକୁ ଯାଇଥିବା ଅନ୍ୟ ରାସ୍ତାରେ ବର୍ଷା ପାଇଁ ଘାଇ ହୋଇଛି । ଫଳରେ ଜଳବନ୍ଦୀ ହୋଇଛି ପୂରା ଗାଁ । କଷଗଡିଆ, ଗୋହିରା ପଦି ଗାଁରେ ମଧ୍ୟ ସମାନ ଅବସ୍ଥା । ୩ ଗାଁର ପ୍ରାୟ ଦେଢ ଶହ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । ଲଗାଣ ବର୍ଷାରେ ରେବ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । ଗୋହିରାପଦିଠାରେ ରେଳବାଇ ପୋଲ ଦେଇ ପ୍ରାୟ ଅଢେଇ ଫୁଟ୍ ଉଚ୍ଚତାରେ ଜଳ ପ୍ରବାହିତ ହେଉଛି । ଫଳରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲିଠାରୁ ବର୍ଷା ଲାଗରହିଛି । ଫଳରେ ନଦୀର ଜଳସ୍ତର ବଢିବାରେ ଲାଗିଛି । ମଥାନୀଠାରେ ବିପଦ ସଙ୍କେତ ୫.୦୫ ମିଟର ଥିବା ବେଳେ ସକାଳ ୬ ସୁଦ୍ଧା ୬.୪୩ ମିଟରରେ ପ୍ରବାହିତ ହେଉଛି । ବର୍ଷା ଲାଗିରହିଲେ ବସ୍ତା ବ୍ଳକ୍ ର ୭ ଟି ପଞ୍ଚାୟତ ଓ ସଦର ବ୍ଳକ୍ ର ୨ଟି ପଞ୍ଚାୟତରେ ବନ୍ୟା ଆଶଙ୍କା ରହିଛି ।

ସେପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ୯ ଜିଲ୍ଲା‌ରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। ଏସବୁ ଜିଲ୍ଲାରେ ବର୍ଷା ଯୋଗୁଁ ଭୂସ୍ଖଳନ, ତଳିଆ ଅଞ୍ଚଳରେ ପାଣି ଜମିବା, କଚ୍ଚା ରାସ୍ତା ଓ ଘର ଭାଙ୍ଗିବା ଆଶଙ୍କା ରହିଛି।

ଏଥିସହ ଅନୁଗୁଳ, ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଓ କନ୍ଧମାଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କଟକ, ଯାଜପୁର, ବାଲେଶ୍ବର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷିବା ନେଇ ସୂଚନା ଦିଆଯାଇଛି । ଏହି୫ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି । ଆସନ୍ତାକାଲିଠୁ ବର୍ଷାର ପରିମାଣ କମିବ। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏପରିକି ଟୁଇନ୍ ସିଟି କଟକ ଏବଂ ଭୁବନେଶ୍ୱରରେ ପ୍ରବଳ ବର୍ଷା ଲାଗିରହିଛି ।

ଘଣ୍ଟାକୁ ୨ରୁ ୩ ସେଣ୍ଟିମିଟର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଉପକୂଳରେ ଏହି ସମୟରେ ପବନର ବେଗ ୪୫ରୁ ୫୫ କିମି ବେଗରେ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ରେଡ୍, ଅରେଞ୍ଜ ଏବଂ ୟେଲୋ ଆର୍ଲଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ଅଗ୍ନିଶମ ବାହିନୀ, ଓଡ୍ରାଫ ଏବଂ NDRFକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ବିଡ଼ିଓ, ତହସିଲଦାର, ଜରୁରୀକାଳୀନ ଅଧିକାରୀ ଙ୍କ ସମେତ ଜଳସମ୍ପଦ ଅଧିକାରୀ ମାନଙ୍କୁ ଦୁର୍ବଳ ନଦୀବନ୍ଧ ଉପରେ ନିଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply