ପୋଲ ଉପରେ ୨ଫୁଟ ବର୍ଷାଜଳ ପ୍ରବାହିତ ; ୧୩ଟି ପଞ୍ଚାୟତରୁ ଯୋଗାଯୋଗ ବିଛିନ୍ନ

କେନ୍ଦୁଝର : ସମାକୋଇ ନଦୀ ପୋଲ ଉପରେ ୨ଫୁଟ ବର୍ଷାଜଳ ପ୍ରବାହିତ । ଗତକାଲି ବିଳମ୍ବିତ ରାତିରୁ କେନ୍ଦୁଝର ଜିଲ୍ଲା ତେଲକୋଇରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ସମାକୋଇ ନଦୀ ପୋଲ ଉପରେ ୨ଫୁଟର ବର୍ଷାଜଳ ପ୍ରବାହିତ ହେଉଛି । ତେଲକୋଇ ମୁଖ୍ୟାଳୟରୁ ୧୩ଟି ପଞ୍ଚାୟତରୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ପୋଲ ଉପରେ ବର୍ଷାଜଳ ପ୍ରଭାବିତ ଯୋଗୁଁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ହନୁମନ୍ତିଆ ନାଳ ପୋଲ ଉପରେ ୩ଫୁଟର ବର୍ଷାଜଳ ପ୍ରବାହିତ ହେଉଛି ।

ଫଳରେ ୫ଟି ପଞ୍ଚାୟତ ମଧ୍ୟ ତେଲକୋଇ ମୁଖ୍ୟାଳୟରୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ତେଲକୋଇରେ ସର୍ବାଧିକ ୧୦୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବ୍ଲକର ବିଭିନ୍ନ ନାଳର ପୋଲ ଉପରେ ବର୍ଷାଜଳ ପ୍ରବାହିତ ଯୋଗୁଁ ଲୋକଙ୍କ ଯାତାୟାତ ଠପ୍ ହୋଇପଡିଛି । ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିଲେ ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ଗାଡ଼ି ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି ।

ନଜର ପକାନ୍ତୁ