ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା; ୪ ନିଖୋଜ

ଡେରାଡୁନ୍: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା । ଅପରପକ୍ଷେ ଉତ୍ତରାଖଣ୍ଡରେ ମଧ୍ୟ ବାଦଲଫଟା ବର୍ଷା ଲାଗି ରହିଛି। ଯାହା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ନିଖୋଜ ଥିବା ସୂଚନା ମିଳିଛି । ଉତ୍ତରକାଶି ଜିଲ୍ଲାର ମାଣ୍ଡୋ ଜିଲ୍ଲାରେ ବାଦଲଫଟା ବର୍ଷାରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭୀଷଣ ବର୍ଷା ହୋଇଥିଲା । ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଅଞ୍ଚଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡିଛି ।

ସେହିପରି ଦିଲ୍ଲୀରେ ବର୍ଷା ଯୋଗୁଁ ଗରମରୁ ସାମାନ୍ୟ ମୁକ୍ତି ପାଇଛନ୍ତି ଦିଲ୍ଲୀବାସୀ । ହେଲେ ପ୍ରବଳ ବର୍ଷା ଯୋଗୁଁ ଯାତାୟତରେ ଏକପ୍ରକାର ବାଧା ସୃଷ୍ଟି ହୋଇଛି। ଦିଲ୍ଲୀ ଏନସିଆରର କିଛି ସ୍ଥାନରେ ସକାଳୁ ସକାଳୁ ଭୀଷଣ ବର୍ଷା ହୋଇଛି । ଆସନ୍ତା ୨୧ତାରିଖ ଯାଏଁ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ଜାତୀୟ ରାଜପଥରେ ପାଣି ଜମିଥିବା ବେଳେ ଯାତାୟତ ଗୋଟେ ପ୍ରକାର ପ୍ରଭାବିତ ହୋଇଛି । ପ୍ରଗତି ମୈଦାନ , ପାଲାମ୍ ଆଦି ଅଞ୍ଚଳରେ ରାସ୍ତା ଉପରେ ଚାଲିଛି ବର୍ଷା ପାଣି ।

କେବଳ ଏତିକି ନୁହେଁ ହରିୟାଣାର ଗୁରୁଗ୍ରାମରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଫଳରେ ରାସ୍ତାରେ ଲହଡି ମାରୁଛି ବର୍ଷା ପାଣି । ପାଣିରେ କିଛି ଗାଡି ମଧ୍ୟ ଫସିଥିବା ଦେଖିବାକୁ ମିଳିଛି । ତେବେ ବର୍ଷା ସାଙ୍ଗକୁ ରାସ୍ତାରେ ପାଣି ଜମିବା ଯୋଗୁଁ ଯାତାୟତରେ ବାଧା ମଧ୍ୟ ଉପୁଜିଛି।

Leave a Reply