ରେମାଲ ପ୍ରଭାବରେ କୋଲକାତାରେ ପ୍ରବଳ ବର୍ଷା, ବାଂଲାଦେଶରେ ୮ ଲକ୍ଷ ଲୋକେ ସ୍ଥାନାନ୍ତର

କୋଲକାତା: ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ‘ରେମାଲ’ । ଘଣ୍ଟା ପ୍ରତି ୧୩୦କିମି ବେଗରେ ପବନ ସହ ପଶ୍ଚିମବଙ୍ଗ ଓ ବାଂଲା ଉପକୂଳରେ ରଚିଲା ତାଣ୍ଡବ । ଭୀଷଣ ବାତ୍ୟା ଏବେ କ୍ରମଶଃ ଦୁର୍ବଳ ହେବା ସହ ଉତ୍ତର ଦିଗକୁ ଗତି କରିଛି । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟା ରେମାଲ ପଶ୍ଚିମବଙ୍ଗ ଉପକୂଳ ଏବଂ ବାଂଲାଦେଶର ଅନେକ ସ୍ଥାନରେ ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି ।

ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି। ବାତ୍ୟାର କ୍ଷୟକ୍ଷତି ଏବଂ ମୃତାହତ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି । କୋଲକାତାର ଅନେକ ସ୍ଥାନରେ ବର୍ଷା ଜାରି ରହିବା ଯୋଗୁଁ ରାସ୍ତା ଉପରେ ପାଣି ଜମି ରହିଛି। ବାଂଲାଦେଶରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଏସବୁ ମଧ୍ୟରେ ଏନଡିଆରଏଫ, ଏସଡିଆରଏଫ୍ ବାତ୍ୟା ପ୍ରଭାବିତ ଅଂଚଳରେ ପହଁଚି ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି। ବାତ୍ୟା ପ୍ରଭାବରେ ଉପୁଡି ପଡିଥିବା ବଡ଼ ବଡ଼ ଗଛ ଏବଂ ବିଜୁଳି ଖୁଣ୍ଟକୁ ଯୁଦ୍ଧକାଳୀନ ଭିତିରେ ମରାମତି କରାଯାଉଛି। ରେମାଲ ପାଇଁ କୋଲକାତାରୁ ୯ ଘଣ୍ଟା ବିମାନ ଚଳାଚଳ ବନ୍ଦ ରହିଛି। ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ବିଶେଷ ନଥିଲେ ମଧ୍ୟ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇଛି। ସେପଟେ ଦୁଇ ଦିନ ପାଗ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଥିବା ବେଳେ, ଆଜିଠୁ ରାଜ୍ୟରେ ପୁଣିଥରେ ତାପମାତ୍ରା ବୃଦ୍ଧି ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।