ସାରା ରାଜ୍ୟରେ କାଳେବୖଶାଖୀର ତାଣ୍ଡବ

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ପବନ ସାଙ୍ଗକୁ ବଜ୍ରପାତ ଓ ବର୍ଷାରେ ବେହାଲ ସହର । ରାସ୍ତାରେ ଲହରୀ ଭାଙ୍ଗିଲା ପାଣି, ଘରେ ପଶିଲା ପାଣି । ଗଛ ଉପୁଡ଼ି ରାସ୍ତାରେ ପଡ଼ିବାରୁ ଅନେକ ସ୍ଥାନରେ ଯାତାୟାତ ପ୍ରଭାବିତ ହୋଇଛି । ଟୁଇନ ସିଟି ସମେତ ପୁରୀ, ବାଲେଶ୍ବର ବର୍ଷା ଯୋଗୁଁ ବେହାଲ । ପିପିଲି ସତ୍ୟବାଦୀରେ ବଜ୍ରାଘାତରେ ପୁଅର ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ହୋଇଛନ୍ତି ।
ଦିନରେ ରାତିର ଭ୍ରମ । ସୁସୁ ପବନ ସହ ମାଡ଼ି ଆସିଲା ବର୍ଷା । ଘଣ୍ଟାଏ ବର୍ଷାରେ ଉବୁଟୁବୁ ଟୁଇନ ସିଟି । କିଛି ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଲା । ପବନ ସାଙ୍ଗକୁ ପ୍ରବଳ ବର୍ଷାରେ ବେହାଲ ରାଜଧାନୀ । ଇସ୍କନ ମନ୍ଦିର ଆଗରେ ଜଳବନ୍ଦୀ ଯୋଗୁଁ ଯାତାୟାତ କିଛି ସମୟ ପାଇଁ ଠପ୍ ହୋଇଯାଇଛି । ଏପରିକି ଫ୍ଲାଏ ଓଭର ଉପରେ ଆଣ୍ଠୁଏ ପାଣି ଦେଖିବାକୁ ମିଳିଥିଲା । ଦିନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ୨୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ଝଟକା ପବନ ଘଣ୍ଟା ପ୍ରତି ୬୮ କିଲୋମିଟର ଥିଲା । ଫଳରେ କିଛି ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।
କଟକରେ ଗତକାଲି ରାତିରୁ ତୁହାକୁ ତୁହା ବର୍ଷା ଓ ପବନ ଲାଗି ରହିଥିବା ବେଳେ ପୂର୍ବାହ୍ନ ୯ ଟାରୁ ଏକ ଘଣ୍ଟା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିଲା । ୧୨ଟା ପରେ ପାଗ ପରିବର୍ତ୍ତନ ହେବାରୁ ଘରୁ ବାହାରିଥିଲେ ଲୋକେ । ପିପିଲିରେ ବଜ୍ରାଘାତ ନେଇଛି ଜଣକ ଜୀବନ । ବିଲରେ ମୁଗ ଓପାଡୁଥିବା ଥିବା ବେଳେ ସତ୍ୟବାଦୀ ବ୍ଲକ୍ କେତକୀପାଟଣା ପଞ୍ଚାୟତ ପଦ୍ମପୁର ଗ୍ରାମରେ ପୁଅ ଦିପ୍ତି ରଞ୍ଜନ ବାରିକଙ୍କ ମୃତ୍ୟୁ ହୋଇଥିବାବେଳେ ବାପା କାଶିନାଥଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ବରରେ ବର୍ଷା ଯୋଗୁଁ ରାସ୍ତାରେ ପାଣିର ସୂଅ ଛୁଟିଥିଲା । ୨୧ ନମ୍ବର ୱାର୍ଡ ଏକତା ନଗର ଅଞ୍ଚଳରେ ଘର ଭିତରେ ପଶିଥିଲା ପାଣି । ଏଥିପାଇଁ ପ୍ରଶାସନକୁ ଲୋକେ ଦାୟୀ କରିଥିବାବେଳେ କୋଟିଏ ୩୦ ଲକ୍ଷ ଟଙ୍କା ବ୍ୟୟରେ ଡ୍ରେନେଜ କାମ ପାଇଁ ବ୍ୟବସ୍ଥା ହୋଇଛି ହେଲେ ଟଙ୍କା ଆସିନି ବୋଲି କହିଛନ୍ତି କାଉନସିଲର ।
୨୨ ତାରିଖ ଯାଏଁ ବର୍ଷା ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ରାଜ୍ୟ ଉପରେ ଦୁଇଟି ଟ୍ରପ ଲାଇନ୍ ବା ନିମ୍ନ ଚାପ ରେଖା ସକ୍ରିୟ ଥିବାରୁ ବର୍ଷା ଜାରି ରହିଛି । ୨୩ ବେଳକୁ ପାଗରେ ପରିବର୍ତ୍ତନ ଆସି ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ସମ୍ଭାବନା ରହିଛି ।