ଦାରିଙ୍ଗିବାଡ଼ି : ଦାଉ ସାଧିଲା ଲଗାଣ ବର୍ଷା। ଭାଙ୍ଗିଲା ଘର । ବାସହରା ହୋଇଗଲା ପୂରା ପରିବାର। ଏବେ ବାର ଦୁଆର ହେଉଛନ୍ତି ଦିବ୍ୟାଙ୍ଗ ବୃଦ୍ଧ ଦମ୍ପତି ଓ ତାଙ୍କ ଝିଅ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଦୀର୍ଘ ବର୍ଷ ଧରି ବୃଦ୍ଧ ଦମ୍ପତି ମାହାସା ମଲ୍ଲିକ ଏବଂ ଟେକାଆଲୁ ମଲ୍ଲିକ ନିଜ ଝିଅ ସହିତ ଏହିଠାରେ ରହୁଥିଲେ। କୁଲି ମଜୁରୀ କରି ବୃଦ୍ଧ ଦିବ୍ୟାଙ୍ଗ ବାପା ମାଙ୍କ ଦେଖାଶୁଣା କରିଛନ୍ତି ଝିଅ ସୁକାନ୍ତି ମଲ୍ଲିକ । ଉଭୟଙ୍କ ଦେହ ଅସୁସ୍ଥ ହେବାରୁ ଝିଅ କଟକ SCB ମେଡିକାଲକୁ ନେଇଥିଲେ । ବାପା ମାଆଙ୍କୁ ଚିକିତ୍ସା କରାଇ ଘରକୁ ଫେରିଲା ବେଳକୁ ଆଉ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ। ଲଗାଣ ବର୍ଷାରେ ଭାଙ୍ଗିଯାଇଥିଲା ଘର। ଏବେ ଆଶ୍ରୟ ନ ପାଇ ହନ୍ତସନ୍ତ ହେଉଛନ୍ତି ୩ ପ୍ରାଣୀ କୁଟୁମ୍ବ।
ମାହାସା ମଲ୍ଲିକ ଏବଂ ଟେକାଆଲୁ ମଲ୍ଲିକ ୬୦% ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଖଣ୍ଡେ ମିଳି ପାରୁନାହିଁ। ଫଳରେ ଭଙ୍ଗା ଦଦରା ଘରେ ବିତାଉଥିଲେ ଜୀବନ। ହେଲେ ଲଗାଣ ବର୍ଷାରେ ସାହାରା ସାଜିଥିବା ଭଙ୍ଗା ଦଦରା ଘର ମଧ୍ୟ ଭାଙ୍ଗିଗଲା । ଏବେ ବୃଦ୍ଧ ବାପାମାଆଙ୍କୁ ଧରି କେଉଁଠି ମୁଣ୍ଡ ଗୁଞ୍ଜିବେ ସେ ନେଇ ଚିନ୍ତାରେ ଝିଅ। ସରକାର ଦୃଷ୍ଟି ଦେଇ ଘର ଖଣ୍ଡେ ଯୋଗାଇଦେବାକୁ ଆକୁଳ ନିବେଦନ କରିଛନ୍ତି କ୍ଷତିଗ୍ରସ୍ତ ପରିବାର।
ସରକାର ଦୃଷ୍ଟି ଦେଲେ ଏହି ଅସହାୟ ପରିବାର ଉପକୃତ ହୋଇପାରନ୍ତେ।

