spot_img

Latest Posts

ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ ପାଇଁ ଗଠିତ ହେବ ଭାରତୀୟ ଉଚ୍ଚଶିକ୍ଷା କମିଶନ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ତଥା ଜାଲ୍ ବିଶ୍ବବିଦ୍ୟାଳୟକୁ ରୋକିବା ଲାଗି ଗଠିତ ହେବ ଭାରତୀୟ ଉଚ୍ଚଶିକ୍ଷା କମିଶନ ବା HECI। ଏହା ଅଧୀନରେ ରହିବ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଓ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ବା ଏଆଇସିଟିଇ।

ଆସନ୍ତା ଶୀତକାଳୀନ ଅଧିବେଶନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଆଣିବ ଏଚଇସିଆଇ ବିଲ୍ । ପ୍ରସ୍ତାବିତ ଏଚଇସିଆଇ ନିକଟରେ ରହିବ ଅପର୍ଯ୍ୟାପ୍ତ କ୍ଷମତା । ଏପରିକି ନିୟମ ଉଲ୍ଲଂଘନ କ୍ଷେତ୍ରରେ ୫କୋଟି ଟଙ୍କା ଯାଏ ଜୋରିମାନା ଧାର୍ଯ୍ୟ କରିବାର କ୍ଷମତା ବି ରହିବ । ବର୍ତ୍ତମାନ ଜାଲ୍ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ତଥା ଅନ୍ୟାନ୍ୟ ନିୟମ ଉଲ୍ଲଂଘନ କ୍ଷେତ୍ରରେ ସର୍ବାଧିକ ୧ ହଜାର ଟଙ୍କା ଅର୍ଥଦଣ୍ଡ କ୍ଷମତା ୟୁଜିସି ନିକଟରେ ରହିଛି । ପ୍ରସ୍ତାବିତ ୧୫ ଜଣିଆ କମିଶନରେ ଜଣେ ଅଧ୍ୟକ୍ଷ, ଜଣେ ଉପାଧ୍ୟକ୍ଷ ରହିବେ।

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜଣେ କୁଳପତି, ଉଚ୍ଚଶିକ୍ଷା ପରିଷଦର ୨ ଜଣ ପ୍ରଫେସର, ଉଚ୍ଚଶିକ୍ଷା ସଚିବ, ଅର୍ଥ ସଚିବ ଓ ଜଣେ ଆଇନ ବିଶାରଦ ସଦସ୍ୟ ରହିବେ । ବିଲ୍‌ରେ ଥିବା ବ୍ୟବସ୍ଥାରେ ନିୟମ ଉଲ୍ଲଂଘନର ମାତ୍ରା ଅନୁସାରେ ଜୋରିମାନା ଧାର୍ଯ୍ୟ କରାଯିବ । ନୋଟିସ ଜାରି ପରେ ଯଦି କୌଣସି ପ୍ରତିଷ୍ଠାନ ଉପଯୁକ୍ତ ସ୍ପଷ୍ଟୀକରଣ ଦେବ ନାହିଁ, ତେବେ ତା ଉପରେ ସର୍ବନିମ୍ନ ୧୦ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯିବ ।

ଏପରିକି ସର୍ବାଧିକ ଉଲ୍ଲଂଘନ କ୍ଷେତ୍ରରେ ସର୍ବାଧିକ ୫ କୋଟି ଟଙ୍କା ଓ ଜେଲଦଣ୍ଡ ବ୍ୟବସ୍ଥା ବି ବିଲ୍‌ରେ ରହିଛି । ଦେଶରେ ବହୁ ଜାଲ୍ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ୟୁଜିସି ବାରମ୍ବାର ବିଫଳ ହେଉଥିବାରୁ ଏଚଇସିଆଇ ଗଠନ କରିବା ଲାଗି ସରକାର ଚାହିଁଛନ୍ତି। କୌଣସି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଦ୍ବାରା ଯଦି ନିୟମର ଉଲ୍ଲଂଘନ କରାଯାଏ ତେବେ ଏହାର କାର୍ଯ୍ୟନିର୍ବାହୀ ମୁଖ୍ୟଙ୍କୁ ଦାୟୀ କରାଯିବା ବ୍ୟବସ୍ଥା ବି ପ୍ରସ୍ତାବିତ ବିଲ୍‌ରେ ରହିଛି ।

ତେବେ ଜାତୀୟ ଶିକ୍ଷା ନୀତି-2020 ଅନୁସାରେ ଗଠିତ ହେବାକୁ ଥିବା ଏଚଇସିଆଇ ଅଧୀନରେ କିନ୍ତୁ ମେଡିକାଲ ଓ ଆଇନ ଶିକ୍ଷା ରହିବ ନାହିଁ। କମିଶନରେ ୪ଟି ସ୍ବାଧୀନ ଶାଖା ରହିବ। ତାହା ହେଲା ଜାତୀୟ ଉଚ୍ଚଶିକ୍ଷା ନିୟାମକ ପରିଷଦ, ଜାତୀୟ ମାନ୍ୟତା ପରିଷଦ, ଉଚ୍ଚଶିକ୍ଷା ଅନୁଦାନ ପରିଷଦ ଓ ସାଧାରଣ ଶିକ୍ଷା ପରିଷଦ।

Latest Posts

Don't Miss