ଚାଷୀଙ୍କ ପାଇଁ ସବୁ ସମବାୟ ସମିତିରେ ଖୋଲିବ ହେଲ୍‌ପ ଡେସ୍କ

ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ଅଧିକ ସରଳ ଓ ସହଜ ହେବ । ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ ହେବ । ଜୁଲାଇ ୧୫ରୁ ଅଗଷ୍ଟ ୧୬ ଯାଏଁ ଖରିଫ ଧାନ କିଣା ପାଇଁ ଚାଲିବ ଚାଷୀ ପଞ୍ଜୀକରଣ । ଯେଉଁ ଚାଷୀ ସରକାରଙ୍କୁ ଧାନ ବିକିବେ, ସେମାନେ ସମସ୍ତ ତଥ୍ୟ ସହ ଫର୍ମ ପୂରଣ କରି ସରକାରଙ୍କ ଅନଲାଇନ୍ ବ୍ୟବସ୍ଥାରେ ପଞ୍ଜୀକରଣ କରିବେ । ପଞ୍ଜୀକରଣ ପାଇଁ ଚାଷୀଙ୍କୁ ସହଯୋଗ କରିବାକୁ ସମସ୍ତ ସମବାୟ ସମିତିରେ ହେଲ୍‌ପ ଡେସ୍କ ଖୋଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ।

ସେହିପରି ସବୁ ଚାଷୀଙ୍କ ତଥ୍ୟ ଆସିଲେ ସେପ୍ଟେମ୍ବର ସୁଦ୍ଧା ପ୍ରକ୍ରିୟା ସାରି ନଭେମ୍ବର ମାସରୁ ସରକାର ଧାନ କିଣିବା ଆରମ୍ଭ କରିବେ । ଜମି ମାଲିକଙ୍କ ସମ୍ମତି ଆଣି ଭାଗଚାଷୀ ମଧ୍ୟ ସରକାରଙ୍କୁ ଧାନ ବିକିପାରିବେ ।  ନିର୍ଭୁଲ ପଞ୍ଜୀକରଣ ପାଇଁ ଅଧିକାରୀମାନେ ଗୁରୁତ୍ୱ ଦେବାକୁ ସମବାୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସବୁ ଚାଷୀ ପ୍ରକ୍ରିୟାରେ ସାମିଲ ହେବାକୁ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ଅନୁରୋଧ କରିଛନ୍ତି ।

ତେବେ ହେଲ୍‌ପ ଡେସ୍କ ବ୍ୟବସ୍ଥାକୁ ବିରୋଧୀ ସ୍ୱାଗତ କରିଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଗତବର୍ଷ ପ୍ରାୟ୧୫ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ବେଳେ ସରକାର ୫୪ଲକ୍ଷ ମେଟ୍ରିକ୍‌ ଟନ୍ ଧାନ କିଣିବାକୁ ଟାର୍ଗେଟ କରିଥିଲେ । ଏଥର ଭାଗଚାଷୀଙ୍କୁ ସୁବିଧା ମିଳିଥିବାରୁ ଚାଷୀଙ୍କ ସଂଖ୍ୟା ବଢ଼ିବା ସହ ଟାର୍ଗେଟ ୭୨ଲକ୍ଷ ମେଟ୍ରିକ୍‌ ଟନ୍ ଧାନ ହେବ ବୋଲି ଆକଳନ କରାଯାଉଛି ।

Leave a Reply