ବିଛଣାରେ ଘରର ମୁରବୀ: ବାପାଙ୍କ ଚିକିତ୍ସା ପାଇଁ ପାଠପଢ଼ା ଛାଡି ମୂଲ ଲାଗୁଛନ୍ତି ପୁଅଝିଅ
ନନ୍ଦିଘୋଷ ବ୍ୟୁରୋ: ରୋଗ ଶଯ୍ୟାରେ ବିତୁଛି ଜୀବନ । ବାଲିଗୁଡା ବ୍ଲକ ସଲାଗୁଡ଼ା ପଞ୍ଚାୟତ ଡାକା ଗାଁର ସଦନ ମଲ୍ଲିକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ହେଲେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ପାଠପଢ଼ା ବନ୍ଦ କରି ପରିବାର ଚଳାଇବା ସହ ବାପାଙ୍କ ଚିକିତ୍ସା ପାଇଁ ମୂଲ ଲାଗୁଛନ୍ତି ପୁଅ ଓ ଝିଅ । ସଦନଙ୍କ ଚିକିତ୍ସା ପାଇଁ ସରକାରଙ୍କ ନିକଟରେ ଆର୍ଥିକ ସହାୟତା ଲୋଡିଛନ୍ତି ପୂରା ପରିବାର ।
ଯିଏ ଦିନେ ପରିବାର ଲୋକଙ୍କ ମୁହଁରେ ଦାନା ଗଣ୍ଡେ ଦେଉଥିଲା, ସେ ଆଜି ବିଛଣାରେ । ଆମେ କହୁଛୁ ବାଲିଗୁଡା ବ୍ଲକ ସଲାଗୁଡ଼ା ପଞ୍ଚାୟତ ଡାକା ଗାଁର ସଦନ ମଲ୍ଲିକଙ୍କ କଥା । ଗତ ଦୁଇ ମାସ ତଳେ ତାଙ୍କର ଆଣ୍ଠୁଗଣ୍ଠି ବ୍ୟଥା ହେବାରୁ ସେ ଚିକିତ୍ସା ପାଇଁ ବାହାରକୁ ଯାଇଥିଲେ । ହେଲେ ରୋଗ ଭଲ ହେବା ବଦଳରେ ସେ ଅଧିକ ରୋଗାକ୍ରାନ୍ତ ହୋଇପଡିଛନ୍ତି । ବାଧ୍ୟ ହୋଇ ପାଠପଢା ବନ୍ଦ କରି ପରିବାର ଚଳାଇବା ସହ ବାପାଙ୍କ ଚିକିତ୍ସା ପାଇଁ ମୂଲ ଲାଗୁଛନ୍ତି ସଦନଙ୍କ ପୁଅ ଓ ଝିଅ ।
୯ ଜଣ ପ୍ରାଣୀ କୁଟୁମ୍ବଙ୍କୁ ନେଇ ସଦନଙ୍କ ପରିବାର । ସଦନ ମୂଲମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ଏବେ ସେ ବିଛଣାରେ ପଡିଥିବାରୁ ପରିବାର ଲୋକେ ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ଏଣୁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ଏହି ଅସହାୟ ପରିବାର ପ୍ରତି ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ପ୍ରଶାସନିକ ସ୍ତରରେ ଯାହା ସମ୍ଭବ ସାହାଯ୍ୟ କରିବୁ ବୋଲି କହିଛନ୍ତି ବାଲିଗୁଡା ଉପଜିଲ୍ଲାପାଳ ପ୍ରଣିତା ଦାସ ।

