ଫେରିଲା କରୋନା: ସାରା ଦେଶରେ ହାଇ ଆର୍ଲଟ, କାଲି ସବୁ ରାଜ୍ୟ ସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ

1 min read

ନୂଆଦିଲ୍ଲୀ: ଭାରତକୁ ଫେରିଲା କୋଭିଡ଼ । ୧୭ ଦିନରେ କେରଳରେ ୧୦ ମୃତ । କେରଳ ସହ କର୍ଣ୍ଣାଟକରେ ସଙ୍ଗୀନ ହେଉଛି ସ୍ଥିତି । ସାରା ଦେଶକୁ ହାଇ ଆଲର୍ଟ । କୋଭିଡର JN.1 ଭାରିଆଣ୍ଟ ନେଇ ସବୁ ରାଜ୍ୟକୁ କେନ୍ଦ୍ର ସରକାର ଚିଠି ଜରିଆରେ ସତର୍କ କରିବା ସହ ସ୍ଥିତି ସମୀକ୍ଷା କରିବାକୁ ଦେଇଛନ୍ତି ପରାମର୍ଶ । ଆଗକୁ ବଡ଼ଦିନ ଓ ନୂଆବର୍ଷ ପାଳନ ଯୋଗୁଁ ଭିଡ଼ ବଢିବାର ଆଶଙ୍କା ରହିଛି । ଯାହାକୁ ନେଇ ଭୟ ବଢିଛି । ଆସନ୍ତାକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟଙ୍କ ସହ କୋଭିଡ ସ୍ଥିତି ନେଇ ବୈଠକ କରିବାର ରହିଛି କାର୍ଯ୍ୟକ୍ରମ ।

ପୁଣି ଫେରିପାରେ ମାସ୍କ ପିନ୍ଧା ଦିନ । କୋଭିଡର ନୂଆ ଭାରିଆଣ୍ଟ JN.1 ଦକ୍ଷିଣ ଭାରତର କେରଳ ଓ କର୍ଣ୍ଣାଟକରେ ସ୍ଥିତି କଲାଣୀ ସଙ୍ଗୀନ । କର୍ଣ୍ଣାଟକକୁ ଓଡ଼ିଶାରୁ ଅଧିକାଂଶ ଲୋକଙ୍କ ଯିବାଆସିବା ଥିବାରୁ, ସତର୍କ ହେବାର ସମୟ ଆସିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ପାଇବା ପରେ ରାଜ୍ୟ ସରକାର ବି କୋଭିଡ ମୁକାବିଲା ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ଜିଲ୍ଲାଓ୍ବାରୀ ମାମଲା ରିପୋର୍ଟ କରି ଅଧିକ ସଂଖ୍ୟାରେ RT-PCR ଟେଷ୍ଟ କରିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ଭେଲାନ୍ସ ଜାରି ରହିଛି । ଏଯାଏଁ ଓଡ଼ିଶାରେ କୌଣସି ଲୋକଙ୍କ ଭିତରେ JN.1 ଚିହ୍ନଟ ହୋଇ ନାହାଁନ୍ତି । ହେଲେ ଯିଏ ବି ପଜିଟିଭ ବାହାରିବ, ତାଙ୍କ ନମୁନାର ଜିନୋମ୍ ସିକ୍ବେନ୍ସିଂ କରାଯିବ । ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଆଣ୍ଟର ସିଭିଆରିଟି ନେଇ କୌଣସି ସୂଚନା ମିଳିନି । ବୁଧବାର ସବୁ ରାଜ୍ୟଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସମୀକ୍ଷା ବୈଠକ ନେବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ବୈଷୟିକ କମିଟି ବି ସମୀକ୍ଷା ଜାରି ରଖିଛି । ଆବଶ୍ୟକ ପଡିଲେ, ରାଜ୍ୟ ଜାରି କରି ପାରେ ଗାଇଡଲାଇନ । ପିକନିକ ଋତୁ ଆରମ୍ଭ ହୋଇ ଗଲାଣି । ସେହିପରି ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ଭିଡ଼ ଜମିବ । ଭିଡ଼ ବଢିବା ସହ କୋଭିଡ ବ୍ୟାପି ବିସ୍ଫୋରକ ସ୍ଥିତି ସୃଷ୍ଟି କରିବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ । ଥଣ୍ଡା, ଜ୍ବର ଲାଗି ରହିଲେ, ତୁରନ୍ତ ଟେଷ୍ଟିଂ କରିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଦେହ ଭଲ ନ ଲାଗିଲେ, ପିକନିକ କି ଘର ବାହାରେ ବଡ଼ଦିନ ପାଳନରୁ ନିବୃତ୍ତ ରହିବାକୁ ବି ଆହ୍ବାନ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ଆଲର୍ଟ ମୋଡକୁ ଆସିଛି ସବୁ ହସ୍ପିଟାଲ । କୋମର୍ବିଡ୍ ଓ ବୟସ୍କମାନେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଖ୍ରୀଷ୍ଟମାସ୍ ଓ ନୂଆବର୍ଷରେ ବିପଦ ଆଶଙ୍କା ଯୋଗୁଁ ହସ୍ପିଟାଲଗୁଡ଼ିକ ଅଧିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ପୂର୍ବରୁ ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ମହଜୁଦ ଥିବାରୁ, କୋଭିଡ ମୁକାବିଲା ସେତେଟା କଷ୍ଟ ହେବନି । ହେଲେ ଲୋକେ ଯଦି ସଚେତନ ନ ହୁଅନ୍ତି, ପୁଣି ଥରେ ମାସ୍କ ପିନ୍ଧି ବାହାରକୁ ବାହାରିବା ନିୟମ ଆଣିବାକୁ ବାଧ୍ୟ ହେବେ ରାଜ୍ୟ ସରକାର ।