ଗ୍ରୀଷ୍ଣ ପ୍ରବାହ ଓ କାଳବୈଶାଖୀ ମଧ୍ଯରେ ସଫଳ ନିର୍ବାଚନ ପରିଚାଳନା ପାଇଁ ଉଚ୍ଚସ୍ତରୀୟ ବୈଠକ

1 min read

ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ଣପ୍ରବାହ ମଧ୍ଯରେ ଓଡ଼ିଶାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ମେ ୧୩, ୨୦, ୨୫ ଓ ଜୁନ ୧ରେ ଓଡ଼ିଶାରେ ମତଦାନ ହେବ ।  ଏହି ସମୟରେ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଲାଗିରହିଥାଏ ।  ଗ୍ରୀଷ୍ଣ ପ୍ରବାହ ଓ କାଳବୈଶାଖୀ ମଧ୍ଯରେ ସଫଳ ନିର୍ବାଚନ ପରିଚାଳନା ପାଇଁ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ଅଧ୍ଯକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ମତଦାନ ଦିବସରେ ଯେପରି କୌଣସି ବାଧା ନଉପୁଜିବ ଓ ବିନା କୌଣସି ଜୀବନହାନିରେ ଯେପରି ଉଚ୍ଚ ମତଦାନ ହାରକୁ ବଜାୟ ରଖିବା ଏଭଂ ତୃଟିଶୂନ୍ଯ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ବିଭାଗ ମଧ୍ଯରେ ସମନ୍ବୟ ରଖାଯିବ । ଗ୍ରୀଷ୍ଣପ୍ରବାହ ପାଇଁ ମତଦାନ କେନ୍ଦ୍ରରେ ବିଶେଷ ବ୍ଯବସ୍ଥା କରାଯିବ । ପ୍ରତି ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆରଏସ, ଶୌଚାଳୟ, ଛାଇ ସ୍ଥାନ, ପ୍ରତୀକ୍ଷା କକ୍ଷର ବ୍ଯବସ୍ଥା କରାଯିବ । ଏହାସହ ବିଜୁଳି ଓ ପଙ୍ଖାର ବ୍ଯବସ୍ଥା କରାଯିବ ।

ଅଂଶୁଘାତ ମୁକାବିଲା ନିମନ୍ତେ ସମସ୍ତ ପ୍ରକାର ଔଷଧ ମହଜୁଦ ରଖାଯିବ । ପ୍ରତି ସେକ୍ଟର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ କର୍ମୀ ମଧ୍ଯ ରହିବେ । ମତଦାନ ଦିବସ ଗୁଡ଼ିକରେ ଅତ୍ଯଧିକ ଆମ୍ବୁଲାନ୍ସ ମହଜୁଦ ରଖାଯିବ । ପ୍ରିଜାଇଡିଂ ଓ ପୋଲିଂ ଅଫିସରକୁ ଡାକ୍ତରଙ୍କ ଦ୍ବାରା ଅଂଶୁଘାତ ସମ୍ବନ୍ଧୀୟ ସଚେତନତା ପ୍ରଶିକ୍ଷଣ ଦିଆଯିବ । ଏହାଛଡ଼ା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଉଚିତ ବ୍ଯବସ୍ଥା କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ଯ ଶାସନ ସଚିବ ଜି, ମାଥିଭାଥନନ, ସ୍ବାସ୍ଥ୍ଯ ବିଭାଗ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ପ୍ରମୁଖ ଯୋଗଦେଇଥିଲେ ।