ଅଜଣା ଜର ଆତଙ୍କ, ସପ୍ତାହକରେ ୨୬ ଛୁଆଙ୍କ ସମେତ ୫୦ ମୃତ

High Viral Fever Spreading In West Uttar Pradesh Many Dead

ଲକ୍ଷ୍ନୌ: ପଶ୍ଚିମ ଉତ୍ତରପ୍ରଦେଶରେ ଆତଙ୍କ ଖେଳାଇଛି ଅଜଣା ଜର । ହଠାତ୍ ପ୍ରବଳ ଜର ଆସିବା ସହ ଲୋକଙ୍କ ମୃତ୍ୟୁ ହେଉଛି । ଗୋଟିଏ ସପ୍ତାହ ମଧ୍ୟରେ ଆଗ୍ରା, ଫିରୋଜାବାଦ, ମଥୁରା, ମୈନପୁରୀ, ଏଟା ଓ କାସଗଞ୍ଜ ଜିଲ୍ଲାରେ ୫୦ ଜଣଙ୍କ ମୃତ୍ୟୁ ଜର, ଝାଡ଼ା ଓ ଅଚାନକ ପ୍ଲେଟଲେଟ ଖସିବାରୁ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ମୃତକଙ୍କ ମଧ୍ୟରେ ୨୬ ଜଣ ଛୁଆ ରହିଛନ୍ତି । ଅଜଣା ଜର ଠିକ୍ ହେବାକୁ ୧୨ ଦିନ ସମୟ ଲାଗୁ ଥିବାବେଳେ ସରକାରୀ ମେଡିକାଲରେ ବେଡ୍ ଅଭାବ ଦେଖାଦେଇଛି ।

ଗୋଣ୍ଡା, ବସ୍ତି, ଦେବରିୟା, ବଲିୟା, ଆଜମଗଢ଼, ସୁଲତାନପୁର, ଜୌନପୁର ଓ ଗାଜିପୁରରେ ମଧ୍ୟ ଅଜଣା ଜରରେ ଲୋକେ ଆକ୍ରାନ୍ତ ହେଉଛନ୍ତି । ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମ ଉତ୍ତରପ୍ରଦେଶର ଜିଲ୍ଲା । ଏହାବ୍ୟତୀତ ଆଗ୍ରା ନିକଟ ରାଜସ୍ଥାନ ଓ ମଧ୍ୟପ୍ରଦେଶର ପଡ଼ୋଶୀ ଜିଲ୍ଲାରେ ମଧ୍ୟ ଏଭଳି ଲକ୍ଷଣ ଥିବା ଜର ରୋଗୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଏକେ ସିଂହଙ୍କ ଅନୁସାରେ, ଗତବର୍ଷ ଭାଇରାଲ ଜର ମାମଲା କମ୍ ଆସିଥିଲା । ସେତେବେଳେ ଲକଡାଉନ୍ ପାଇଁ ଲୋକେ ଘରେ ରହୁଥିଲେ । ଫିରୋଜାବାଦରେ ସବୁଠୁ ଅଧିକ ୨୫ ଜଣଙ୍କ ମୃତ୍ୟୁ ଅଜଣା ଜରରେ ହୋଇଛି । ମୃତକଙ୍କ ମଧ୍ୟରେ କେହି ବି କୋଭିଡ୍ ପଜିଟିଭ୍ ନଥିଲେ । ଅଜଣା ଜର ପରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚିକିତ୍ସା କରୁଛନ୍ତି ।

ଜର ଏତେ ବ୍ୟାପିଛି ଯେ, ମେଡିକାଲରେ ବେଡର ଅଭାବ ପଡ଼ିଛି । ଗୋଟିଏ ଗୋଟିଏ ବେଡରେ ୨ରୁ ୩ ଜଣ ରୋଗୀଙ୍କ ଚିକିତ୍ସା କରାଯାଉଛି । ଏଥିରେ ଛୁଆ ବେଶି ଆକ୍ରାନ୍ତ ହେଉଛନ୍ତି । ପ୍ଲେଟଲେଟ୍ ଖସିବା ଯୋଗୁଁ ଛୁଆଙ୍କ ମୃତ୍ୟୁ ହେଉଥିବା ଡାକ୍ତର କହିଛନ୍ତି ।

Leave a Reply