୨୦୨୪ ପାଇଁ ଉଚ୍ଚ ଶିକ୍ଷା ବିଭାଗର ନୂଆ ଯୋଜନା 

ଭୁବନେଶ୍ବର: ନୂଆ ବର୍ଷ ଆଣିବ ଉଚ୍ଚଶିକ୍ଷାରେ ବୈପ୍ଳବିକ ସଂସ୍କାର । ଉଚ୍ଚଶିକ୍ଷା କ୍ଷେତ୍ରରେ ମାନ ବୃଦ୍ଧି ସହ ଗୁଣାତ୍ମକ ବିକାଶ ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ କଲା ଉଚ୍ଚଶିକ୍ଷା ବିଭାଗ । ଯାହା ଅଭାବ ରହିଛି, ତାକୁ ମିଶନ୍ ମୋଡରେ ଦୂର କରିବାକୁ ଆରମ୍ଭ ହୋଇଛି ବ୍ୟାପକ କାର୍ଯ୍ୟକ୍ରମ । ଅଧ୍ୟାପକ ନିଯୁକ୍ତି, ନିୟମିତ କ୍ଲାସ୍, ଅତିଥି ଅଧ୍ୟାପକ ନିୟୋଜନ ପରି କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଫୋକସରେ ରହିଛି ନ୍ୟାକ୍ ମାନ୍ୟତାରେ ଉନ୍ନତମାନର ପ୍ରଦର୍ଶନ ।

୨୦୨୪ ପାଇଁ ଉଚ୍ଚ ଶିକ୍ଷା ବିଭାଗର ନୂଆ ଯୋଜନା । ଅଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ପାଇଁ ମିଳିବ ପ୍ରଶିକ୍ଷଣ । ଭିତ୍ତିଭୂମି ସୁଦୃଢ ପାଇଁ ଦିଆଯିବ ଅନୁଦାନ । ଶିକ୍ଷାଦାନରେ ସାମିଲ ହେବେ ଅବସରପ୍ରାପ୍ତ ପ୍ରଫେସର । ଅତିଥି ଅଧ୍ୟାପକଙ୍କର ବଢିବ ପାରିଶ୍ରମିକ । ଜାନୁଆରୀ ଶେଷ ସୁଦ୍ଧା ଯୋଗ ଦେବେ ୧୦୬୫ ଅଧ୍ୟାପକ । ରାଜ୍ୟରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରୁ ଅଭାବ ଦୂର କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ପ୍ରଫେସର ନିଯୁକ୍ତି ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଟକଣା ଥିବାରୁ ବିକଳ୍ପ ପନ୍ଥା ସ୍ଥିର କରିଛି ଉଚ୍ଚଶିକ୍ଷା ବିଭାଗ । ଏଥିପାଇଁ ଅତିଥି ଅଧ୍ୟାପକଙ୍କ ସଂଖ୍ୟାକୁ ବୃଦ୍ଧି କରାଯିବ । ଭଲ ଅତିଥି ଅଧ୍ୟାପକ ପାରିଶ୍ରମିକ ବୃଦ୍ଧି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଅଭାବ ଯୋଗୁଁ ଯେପରି ଶିକ୍ଷାଦାନ ବାଧାପ୍ରାପ୍ତ ନ ହୁଏ, ସେଥି ପାଇଁ ଅତିଥି ଅଧ୍ୟାପକଙ୍କ ସମେତ ଅବସରପ୍ରାପ୍ତ ଓ ବରିଷ୍ଠ ପ୍ରଫେସରଙ୍କୁ ଶିକ୍ଷାଦାନରେ ସାମିଲ କରାଯିବ। ବିଶ୍ବବିଦ୍ୟାଳୟ ଓ କଲେଜକୁ ଅତିରିକ୍ତ ଭାବେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏନେଇ ଜାରି ହେବ ମାଗଦର୍ଶିକା । ସେହିପରି  ସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ପାଇଁ ମନୋନୀତ ହୋଇଥିବା ୧୫୦ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଆସନ୍ତା ୧୦ ତାରିଖରେ କାଉନସିଲିଂ କରାଯିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ଶେଷ ସଦ୍ଧା ଏସଏସବି ପକ୍ଷରୁ ବେସରକାରୀ ମହାବିଦ୍ୟାଳୟରେ ୧୦୬୫ ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ସରିବ । ନିୟମିତ କ୍ଲାସ ଉପରେ ଅଧିକ ଗୁରୁତ୍ବ ଦିଆଯିବ ।

ବର୍ତ୍ତମାନ ଅଧ୍ୟାପକ ଅଭାବ ଯୋଗୁ ଜଣେ ଜଣେ ଅଧ୍ୟାପକଙ୍କୁ ଅଧିକ କ୍ଲାସ ନେବାକୁ ପଡ଼ୁଛି । ଯାହା ସେମାନଙ୍କୁ ଚାପଗ୍ରସ୍ତ କରୁଛି । ଅତିଥି ଅଧ୍ୟାପକଙ୍କ ପାରିଶ୍ରମିକ ବୃଦ୍ଧି ଯୋଗୁ ସ୍ଥାୟୀ ଅଧ୍ୟାପକମାନଙ୍କ ଉପରୁ ଚାପ କମିବ । ସେହିପରି ଅଧ୍ୟାପକମାନଙ୍କ ଦକ୍ଷତା ବିକାଶ ଟ୍ରେନିଂ ଲାଭଦାୟକ ହେବ । କାରଣ ଅନେକ କ୍ଷେତ୍ରରେ ରିଫ୍ରେସର୍ କୋର୍ସ ପାଇଁ ବ୍ୟବସ୍ଥା ରହୁନି । ଦକ୍ଷତା ବିକାଶ ଟ୍ରେନିଂ ଜରିଆରେ ସମୟ ସହ ତାଳ ଦେଇ ଶିକ୍ଷାଦାନ କରାଯାଇ ପାରିବ ।

ନୂଆ ବର୍ଷରୁ ଉଚ୍ଚଶିକ୍ଷା ବିଭାଗର ଅଭିଯୋଗ ଶୁଣାଣିକୁ ପ୍ରାଥମିକତା ଦିଆଯିବ । ପେନସନ ମାମଲାର ବି ତୁରନ୍ତ ସମାଧାନ କରାଯିବ । ବର୍ତ୍ତମାନ ମାସକୁ ୧୫୦ ପେନସନ ମାମଲାର ବିଚାର କରାଯାଉଥିବା ବେଳେ ଏହି ସଂଖ୍ୟାକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ।