spot_img

Latest Posts

ବଡ଼ ଖୁଲାସା: କରୋନା ତଥ୍ୟ ଲୁଚାଇବାକୁ WHO ମୁଖ୍ୟଙ୍କୁ କହିଥିଲେ ଚୀନ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ରିପୋର୍ଟ ଅନୁଯାୟୀ, ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ବ୍ୟକ୍ତିଗତ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡୋନାମ୍‌ଙ୍କୁ କରୋନା ଭୂତାଣୁ ବିଷୟରେ ସୂଚନା ଲୁଚାଇବାକୁ ନିବେଦନ କରିଥିଲେ । ମନୁଷ୍ୟଠାରୁ ମନୁଷ୍ୟକୁ ଏହି ଭୂତାଣୁ ବ୍ୟାପୁଥିବା କଥା ଲୁଚାଇବାକୁ ସି ଜିନ୍‌ପିଙ୍ଗ୍‌ WHOର ମୁଖ୍ୟଙ୍କୁ କହିଥିଲେ । ଏହାସହ ମହାମାରୀ ସମ୍ପର୍କରେ ବିଶ୍ୱକୁ ସୂଚନା ଦେବାରେ ବିଳମ୍ବ କରିବାକୁ ଅନୁରୋଧ କରିଥିଲେ ।

ଡେଲି ମେଲ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜର୍ମାନୀର ପ୍ରକାଶନ ଡେ’ ସ୍ପାଇଗେଲ ଏନେଇ ସୂଚନା ପ୍ରକାଶ କରିଛି । ଦେଶର ଗୁପ୍ତଚର ଏଜେନ୍ସିଗୁଡ଼ିକର ଇନପୁଟ୍ ଆଧାରରେ ଜର୍ମାନୀ ଏହି ରିପୋର୍ଟ ପ୍ରକାଶ କରିଛି ।

ଜର୍ମାନୀର ଗୁପ୍ତଚର ଏଜେନ୍ସି ବିଏନଡି ଅନୁଯାୟୀ, ଜାନୁଆରୀ ୨୧ ତାରିଖରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଡୋନାମଙ୍କୁ କହିଥିଲେ ଯେ, କରୋନା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ସଂକ୍ରମଣ ହେଉଥିବା ଖବର ଏବଂ ମହାମାରୀ ବିଷୟରେ ବିଶ୍ୱକୁ ସଚେତନ କରାଇବାରେ ବିଳମ୍ବ କରାଯାଉ । ଜର୍ମାନୀର ଗୁପ୍ତଚର ଏଜେନ୍ସି ଅନୁଯାୟୀ ଚୀନ୍ ଯୋଗୁଁ ସାରା ବିଶ୍ୱ କରୋନା ସହ ଲଢ଼ିବାରେ ୪ ରୁ ୬ ସପ୍ତାହ ବିଳମ୍ବ କରିଥିଲା ।

 WHO ଏହି ରିପୋର୍ଟକୁ ମିଥ୍ୟା ବୋଲି କହିଥିଲା

ଜର୍ମାନୀର ଏହି ରିପୋର୍ଟ ପ୍ରକାଶ ପାଇବା ମାତ୍ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଥିଲା । WHO ଏହି ରିପୋର୍ଟକୁ ମିଥ୍ୟା ଏବଂ ମନଗଢ଼ା ବୋଲି କହିଥିଲା ।

ବିବୃତ୍ତିରେ କୁହାଯାଇଛି ଯେ ସି ଜିନପିଙ୍ଗ ଏବଂ ଟେଡ୍ରୋସ ଜାନୁଆରୀ ୨୧ରେ କଥାବାର୍ତ୍ତା ହୋଇନାହାଁନ୍ତି । ଦୁହେଁ କେବେବି ଫୋନରେ କଥା ହୋଇନାହାନ୍ତି ।

ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, କରୋନା ମନୁଷ୍ୟ ଠାରୁ ମନୁଷ୍ୟକୁ ବ୍ୟାପିବାର ଖବର ଚୀନ୍‌ ୨୦ ଜାନୁଆରୀରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନକୁ ପ୍ରଦାନ କରିସାରିଥିଲା ।

ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାନୁୟାରୀ ୨୨ରେ ଏକ ବିବୃତ୍ତି ଜାରି କରାଗଲା । ସେଥିରେ କୁହାଗଲା ଯେ, ଅନେକ ଅନୁସନ୍ଧାନ ପରେ ଏହି କରୋନା ଭୂତାଣୁ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ ବୋଲି ଜଣାପଡ଼ିଛି । ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ ।

ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଆରୋପ ଲଗାଇଛନ୍ତି । ସେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ WHOର ନୀତି ଚୀନ୍‌ ସମର୍ଥନରେ ହିଁ ରହୁଛି । ଏପ୍ରିଲରେ ଟ୍ରମ୍ପ ପ୍ରଶାସନ କହିଥିଲା ଯେ, ଚୀନ୍‌ର ପ୍ରଚାର ପ୍ରସାର ପାଇଁ WHO ଏକ ଅସ୍ତ୍ର ପାଲଟିଛି ।

Latest Posts

Don't Miss