spot_img

Latest Posts

କାନାଡ଼ା ବ୍ରମ୍ପଟନର ଏକ ମନ୍ଦିରରେ ଆକ୍ରମଣ, ଭାରତୀୟ ଦୂତାବାସର କ୍ୟାମ୍ପ ଚାଲିଥିବା ବେଳେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: କାନାଡ଼ାର ବ୍ରମ୍ପଟନରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ସେଠାରେ ଭାରତୀୟ ଦୂତାବାସ ପକ୍ଷରୁ ଏକ ଶିବିର ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଛି। ଲୋକଙ୍କ ସୁବିଧା ପାଇଁ ଦୂତାବାସ ପକ୍ଷରୁ ଏହି ମନ୍ଦିରରେ ଏକ କ୍ୟାମ୍ପ କରାଯାଇ ଭିସା-ପାସପୋର୍ଟ ଓ ଜୀବନ ପ୍ରମାଣପତ୍ର ସଂପର୍କିତ କାମ କରାଯାଉଥିଲା। ଏହି ସମୟରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏହା ପଛରେ ଖଲିସ୍ତାନୀଙ୍କ ହାତ ଥିବା ଅଭିଯୋଗ ହୋଇଛି। ଭାରତର ବୈଦେଶିକ ମନ୍ତ୍ରାଳୟ ତରଫରୁ ଏହାକୁ କଡ଼ା ନିନ୍ଦା କରାଯାଇଛି। ଉପଯୁକ୍ତ ସୁରକ୍ଷା ପାଇଁ ଆଗରୁ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯାଇଥିଲା। ତା ସତ୍ତ୍ଵେ ଏହି ଆକ୍ରମଣ ହେବା ଉଦବେଗଜନକ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ଭାରତ ଓ କାନାଡ଼ା ମଧ୍ୟରେ କୂଟନୀତିସ୍ତରରେ ଉତ୍ତେଜନା ଚାଲିଥିବା ବେଳେ ଏହି ଆକ୍ରମଣ ଘଟଣା ଆହୁରି ସଂକଟ ସୃଷ୍ଟି କରିପାରେ। ସେପଟେ କାନାଡ଼ାର ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ନାଗରିକ ନିଜ ନିଜ ଧର୍ମ ପାଳନ କରିବାର ଅଧିକାର ଅଛି। ଏଥିରେ କେହି ବାଧା ଦେଇପାରିବେ ନାହିଁ। ମନ୍ଦିରରେ ଯେଉଁ ଆକ୍ରମଣ ହୋଇଛି, ତାହା ଗ୍ରହଣୀୟ ନୁହେଁ। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜଷ୍ଟିିନ ଟ୍ରୁଡୁ ।

Latest Posts

Don't Miss