spot_img

Latest Posts

ନବୀନଙ୍କୁ ଭେଟିଲେ ହିଞ୍ଜିଳି ମ୍ୟୁନିସିପାଲିଟିର ବିଜେଡି ନେତା ଓ କର୍ମୀ

ନବୀନଙ୍କୁ ଭେଟିଲେ ହିଞ୍ଜିଳି ମ୍ୟୁନିସିପାଲିଟିର ବିଜେଡି ନେତା ଓ କର୍ମୀ

ନନ୍ଦିଘୋଷ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ହିଞ୍ଜିଳି ମ୍ୟୁନିସିପାଲିଟିର ବିଜେଡି ନେତା ଓ କର୍ମୀ । ହିଞ୍ଜିଳି ପ୍ରତି ସରକାରୀ ଉଦାସୀନତା ନେଇ ସେମାନେ ନବୀନଙ୍କୁ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ବିକାଶ କାମ ଠପ ହୋଇଯାଇଛି । ସରକାରଙ୍କ ବୈମାତୃକ ମନୋଭାବ ଓ ଆଇନଶୃଙ୍ଖଳାରେ ପକ୍ଷପାତିତା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନାରେ ଉନ୍ନତ ଭିତ୍ତିଭୂମି ଥିଲେ ମଧ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଡାକ୍ତର ଓ ଷ୍ଟାଫ ଅଭାବ ଦେଖାଦେଇଛି । ଉପଯୁକ୍ତ ଚିକିତ୍ସା ସୁବିଧା ନପାଇ ଲୋକେ ହଇରାଣ ହେଉଛନ୍ତି । ମ୍ୟୁନିସିପାଲିଟିରେ କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ ସମସ୍ୟା ପ୍ରତି ସରକାର ସଂପୂର୍ଣ୍ଣ ଭାବେ ଆଖି ବୁଜିଦେଇଛନ୍ତି । ଯୋଗ୍ୟ ବ୍ୟକ୍ତିଙ୍କ ରାସନ କାର୍ଡ ଓ ଭତ୍ତା ମନଇଚ୍ଛା କାଟି ଦିଆଯାଉଛି । ଅପରାଧୀମାନେ ଅପରାଧ ଘଟାଇ ନିର୍ଭୟରେ ବୁଲୁଥିବା ବେଳେ ଅଭିଯୋଗକାରୀଙ୍କ ନାମରେ ମାମଲା କରାଯାଉଛି । ଦଳୀୟ ମନୋଭାବ ନେଇ ପୋଲିସ ପ୍ରଶାସନ କାମ କରୁଥିବାରୁ ସାଧାରଣ ଲୋକେ ଥାନାକୁ ଯିବାକୁ ଭୟ କରୁଛନ୍ତି । ଏଭଳି ଅନେକ ଅଭିଯୋଗ ସମ୍ପର୍କରେ ବିଜେଡି ନେତା ଓ କର୍ମୀ ନବୀନଙ୍କୁ ଅବଗତ କରିବା ସହ ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି ।

ଅଭିଯୋଗ ବିଷୟରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି ନବୀନ କହିଛନ୍ତି । ଏହି ଅବସରରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିକାଶ ଓ ଲୋକଙ୍କ ଅଭାବ ଅସୁବିଧା ଦୂର କରିବା ଦିଗରେ କାମ ଜାରି ରଖିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଆଲୋଚନା ସମୟରେ ବିରୋଧୀ ଦଳ ନେତାଙ୍କ ହିଞ୍ଜିଳି ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ସମେତ ହିଞ୍ଜିଳି ମ୍ୟୁନିସିପାଲିଟିର ଚେୟାରମ୍ୟାନ ସୁବାସ ପଲେଇ, ରୋଗୀ କଲ୍ୟାଣ ସମିତି ସଭାପତି ନୀଳମଣି ପଟ୍ଟନାୟକ, ହୃଦାନନ୍ଦ ମହାପାତ୍ର, ମନୋଜ ପଲେଇ, ଶୋଭା ମହାରଣା ଉପସ୍ଥିତ ଥିଲେ । ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସୀମାଞ୍ଚଳ ମହାରଣା ବିରୋଧୀ ଦଳ ନେତାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ । ଗତକାଲି ଶେରଗଡ଼ ବ୍ଲକର ବିଜେଡି କର୍ମୀ ଓ ନେତା ନବୀନଙ୍କୁ ଭେଟି ସମସ୍ୟା ଜଣାଇଥିଲେ ।

Latest Posts

Don't Miss