ବିସ୍ଫୋରଣ ଆଡ଼କୁ ଗତି କରୁଛି HIV, ସମଲିଙ୍ଗୀ ଅପ୍ରାକୃତିକ ଯୌନ ସମ୍ପର୍କରୁ ବଢୁଛି ସଂକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟକୁ ଏଚଆଇଭି ବିପଦ । ଘାଣ୍ଟି ହେଉଛନ୍ତି ଯୁବ ଗୋଷ୍ଠୀ । ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟିର ରିପୋର୍ଟ ଅନୁସାରେ ପୁରୁଷ ସହ ପୁରୁଷଙ୍କ ଅପ୍ରାକୃତିକ ଯୌନ ସମ୍ପର୍କ ଯୋଗୁଁ ଏଚଆଇଭି ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁଥିରୁ ପାଖାପାଖି ଅଧା ହେଉଛନ୍ତି ଯୁବ ଗୋଷ୍ଠୀ । ସେପଟେ ପଞ୍ଜିକୃତ ଏଡସ୍ ରୋଗୀଙ୍କ ଭିତରୁ ୩ ହଜାରରୁ ଅଧିକଙ୍କ ପତ୍ତା ନ ମିଳୁଥିବାରୁ ସଂକ୍ରମଣ ବୃଦ୍ଧିର ଭୟ ଦେଇ ଗତି କରୁଛି ଓଡ଼ିଶା ।
ସଂକ୍ରମଣରୁ ବିସ୍ଫୋରଣ ଆଡ଼କୁ ଗତି କରୁଛି ଏଚଆଇଭି । ତା’ କବଳରେ ପଡ଼ିଯାଇଛନ୍ତି ଯୁବ ଗୋଷ୍ଠୀ । କାରଣ ଯୁବ ଗୋଷ୍ଠୀ ଏବେ ସମଲିଙ୍ଗୀ ଅପ୍ରାକୃତିକ ଯୌନ ସମ୍ପର୍କରେ ବ୍ୟସ୍ତ । ୧୭ରୁ ୩୫ ବର୍ଷ ବୟସର ୪୧ ପ୍ରତିଶତ ଯୁବଗୋଷ୍ଠୀ ଏଚଆଇଭି ପଜିଟିଭ ଥିବା ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟିର ରିପୋର୍ଟ କହୁଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏପରି ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା ବଢୁଛି । ଗତ ଜୁଲାଇ ସୁଦ୍ଧା ୬୫ ହଜାର ୨୧୪ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ପାଖାପାଖି ୨୬ ହଜାର ୭୩୭ ସଂକ୍ରମିତଙ୍କ ବୟସ ୧୭ରୁ ୩୫ ଭିତରେ । ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଏପରି ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାର ସମ୍ଭାବନା କମ ରହୁଥିବାରୁ ଅଧିକାଂଶ ପିଲାମାନେ ଘରୋଇ ମେସ୍ ବା ରୁମ୍ ଭଡ଼ା ନେଇ ରହୁଛନ୍ତି । ଯୁବ ବର୍ଗଙ୍କ ମଧ୍ୟରେ ଅପ୍ରାକୃତିକ ଯୌନ ସମ୍ପର୍କ ଯାହା ଏଚଆଇଭିକୁ ଆମନ୍ତ୍ରଣ ଦେଉଛି । ଯେଉଁମାନଙ୍କ ଭିତରେ ପ୍ରତିଶେଧକ ଶକ୍ତି କମ୍ ରହିଥାଏ ସେମାନେ ଏଡସ୍ ଆଡ଼କୁ ଠେଲି ହୋଇ କଲବଲରେ ଜୀବନ ହାରନ୍ତି । ୧୩ ହଜାର ୧୭୭ ଏଚଆଇଭି ପଜିଟିଭଙ୍କ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ରିପୋର୍ଟ ହୋଇଛି ।
ବିପଦ ଏତିକିରେ ସରିନି। ପଞ୍ଜିକୃତ ୬୫ ହଜାର ୨୧୪ ଏଚଆଇଭି ପଜିଟିଭଙ୍କ ଭିତରୁ ୩୯୯୮ ସଂକ୍ରମିତଙ୍କ ପତ୍ତା ମିଳୁନି । ଏମାନଙ୍କ ଭିତରୁ ଅନେକ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି ବା କିଛି ଲୋକ ବାହାର ରାଜ୍ୟରୁ ଆସି ଓଡ଼ିଶାରେ ଟେଷ୍ଟିଂ କରିଛନ୍ତି । ଏପରିକି କିଛି ଲୋକ ସମାଜ ବାସନ୍ଦ ଭୟରେ ନିଜ ଭୁଲ ପରିଚୟ ଦେଇଥିବା କଥା ଯାଞ୍ଚ ପରେ ଜଣାପଡ଼ିଛି । ଏହି ନିଖୋଜ ଏଚଆଇଭି ପିଜିଟିଭ ସଂକ୍ରମିତଙ୍କ ସହ ଅଜାଣତରେ ଯଦି କେହି ଶାରୀରିକ ସଂପର୍କ ରଖନ୍ତି ପରିସ୍ଥିତି ସଙ୍ଗୀନ ହୋଇଯିବ ।
ଏଚଆଇଭ ପିଜିଟିଭରୁ ଏଡସ୍ । ଏହାର କୌଣସି ଚିକତ୍ସା ନାହିଁ। ହେଲେ ଏଚଆଇଭି ପିଜିଟିଭ ଜଣାପଡ଼ିବା ମାତ୍ରେ ସଂକ୍ରମିତଙ୍କୁ ଆଣ୍ଟି ରେଟ୍ରୋଭାଇରାଲ ଥେରାପି ଏଆରଟି ଦେବା କଥା । ତେବେ ୬୫ ହଜାର ୨୧୪ ସଂକ୍ରମିତଙ୍କ ମଧ୍ୟରୁ ୫୫ ହଜାର ୧୪୨ ଜଣ ଏଆରଟି ପଞ୍ଜିକରଣ କରିଛନ୍ତି । ବାକି ୧୦ ହଜାର ୧୨୯ ଏଆରଟି ପଞ୍ଜିକରଣ କରି ନଥିବାରୁ ଚିନ୍ତା ଆହୁରି ବଢିଛି ।