ସାଇବର ଠକଙ୍କ କବଜାରେ ହୋଟେଲ ୱେବସାଇଟ୍ ଡାଟା

1 min read

ଭୁବନେଶ୍ବର : ହ୍ୟାକରଙ୍କ ହାତରେ ହୋଟେଲ ଡାଟା । ଭୁବନେଶ୍ବର ସାଇବର ଥାନାରେ ୨୫ ହୋଟେଲ ମାଲିକଙ୍କ ଅଭିଯୋଗ । ସରକାରୀ ଓ୍ବେବସାଇଟ ବି ସାଇବର ଠକଙ୍କ କବଜାରେ । ସେପଟେ OLX ଠକକୁ ବାନ୍ଧିଲା ସାଇବର ପୋଲିସ । ଅବିକଳ ଓ୍ବେବସାଇଟ ଡିଜାଇନ, ଅଜବ ବୁଦ୍ଧି । ଠକଙ୍କ ଜ୍ଞାନ ଆଗରେ ଯେ କେହି ବି ଧୋକା ଖାଇଯିବ । ହୋଟେଲ ଠକେଇ ନେଇ ପ୍ରଥମେ ପୁରୀରୁ ଅଭିଯୋଗ ଆସିବା ପରେ ଭୁବନେଶ୍ବରର ୨୫ ହୋଟେଲ ମାଲିକ ଏ ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଟୁରିଷ୍ଟ ଯେତେବେଳେ ଗୁଗୁଲରେ ହୋଟେଲ ନାଁ ସର୍ଚ୍ଚ କରୁଛନ୍ତି, ସେତେବେଳେ ଅରିଜିନାଲ ବଦଳରେ ଡୁପ୍ଲିକେଟ ଓ୍ବେବସାଇଟ ବୁକ କରି ଲକ୍ଷାଧିକ ଟଙ୍କା ହରାଉଛନ୍ତି । ଏଭଳି ଅଭିଯୋଗ ବାରମ୍ବାର ହେବା ପରେ ହୋଟେଲ ମାଲିକ ସଂଘ ସହ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ ।

ହୋଟେଲର ଆଇଟିକୁ ସୁଦୃଢ଼ କରିବା ଦିଗରେ କ୍ରାଇମବ୍ରାଞ୍ଚ ଏଡିଜି ମତ ଦେଇଥିବା ବେଳେ ହ୍ୟାକରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ପୋଲିସ । ୯୦ ପ୍ରତିଶତ ସରକାରୀ ଓ ବେସରକାରୀ ଓ୍ବେବସାଇଟ ହ୍ୟାକରଙ୍କ କବଜାରେ ଥିବା ଜଣାପଡିଛି । କିଛିଦିନ ତଳେ ମୋ ସ୍କୁଲ ର ଅବିକଳ ନକଲ କରି ଚାକିରୀ ପାଇଁ ବିଜ୍ଞପ୍ତି ଦେଇ ଠକେଇ ଘଟଣା ନଜରକୁ ଆସିବା ପରେ ଗଣଶିକ୍ଷା ବିଭାଗ ସଚିବ ଥାନାରେ ଏତଲା ଦେଇଥିଲେ । ଅନ୍ୟପଟେ ସପିଙ୍ଗ ସାଇଟ ଜରିଆରେ ଲୋକଙ୍କ ଚୂନ ଲଗାଉଥିବା ଅଭିଯୁକ୍ତ ସିଦ୍ଧାର୍ଥ ପାଣିଗ୍ରାହୀକୁ ପୋଲିସ ଗିରଫ କରିଛି । ୧୦ ଟି ଏସି ଦେବାକୁ କହି ୨ ଲକ୍ଷ ଟଙ୍କା ଚୂନ ଲଗାଇଦେବା ପରେ କରିତକର୍ମାକୁ ବାନ୍ଧିଛି ପୋଲିସ। ଅଭିଯୁକ୍ତ ନାଁ ରେ ଖଣ୍ଡଗିରି, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରହିଛି।