ନନ୍ଦିଘୋଷ ବ୍ୟୁରୋ : ବଣ୍ଡାଘାଟିରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ଆଦିମ ଜନଜାତିଙ୍କ ଘର କରିଦେବା ଆଳରେ ଟଙ୍କା ଲୁଟି ଫେରାର ଠିକାଦାର । ମାଲକାନଗିରି ଜିଲ୍ଲା ମୁଦୁଲିପଡା ପଞ୍ଚାୟତ ତୁସେଇପଡା ଗାଁର ୨୨ଟି ହିତାଧିକାରୀଙ୍କ ଘର ଅଧପନ୍ତରିଆ ଭାବେ ପଡ଼ିରହିଛି । ଏହାରି ଭିତରେ ଖଇରପୁଟ ବିଡିଓଙ୍କ ଅନ୍ୟତ୍ର ବଦଳି ଦୁର୍ନୀତିକୁ ଖୋରାକ ଯୋଗାଉଛି । ପ୍ରଶାସନ ଶୀଘ୍ର ଘଟଣାର ତଦନ୍ତ କରିବା ସହ ଦୁର୍ନୀତିଖୋର ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ବଣ୍ଡାଘାଟିରେ ଆବାସ ଦୁର୍ନୀତି । ଅଧପନ୍ତରିଆ ଘର କରି ହିତାଧିକାରୀଙ୍କୁ ଲୁଟି ଫେରାର ଠିକାଦାର । ଅଧିକାରୀଙ୍କ ସାଲିସରେ ମାଲେମାଲ ଠିକା ସଂସ୍ଥା । ଘର ପାଇଁ ଚିନ୍ତାରେ ଆଦିମ ଜନଜାତି । ମାଲକାନଗିରି ଜିଲ୍ଲା ଖଇରପୁର ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ଘର ନିର୍ମାଣରେ କୋଟିକୋଟି ଟଙ୍କାର ଘୋଟାଲା ହୋଇଛି । ମୁଦୁଲିପଡା ପଞ୍ଚାୟତ ତୁସେଇପଡା ଗାଁର ୨୨ଟି ଘରକୁ କରିଦେବା ନାଁରେ ଅର୍ଥ ହଡ଼ପ କରିନେଇଛି ଠିକାଦାର । ଦୁର୍ନୀତି ସମ୍ବନ୍ଧରେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ତରବରିଆ ଭାବେ ଖଇରପୁଟ ବିଡିଓଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଯେଉଁଥିରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି ।
ଖାଲି ତୁସେଇପଡା ଗାଁ ନୁହେଁ ବଣ୍ଡାଘାଟିର ଅଧିକାଂଶ ଗାଁରେ ଆବାସ ଯୋଜନା ବାଟବଣା ହେଉଛି । ଅଧିକାରୀ ଘର ଯାଞ୍ଚ ନକରି ଅର୍ଥ ଛାଡ଼ିବା କାରଣରୁ ନୀରିହ ହିତାଧିକାରୀ ଆବାସ ଗୃହରୁ ବଞ୍ଚିତ ରହୁଛନ୍ତି । ଠିକାଦାର ଓ ଅଧିକାରୀଙ୍କ ସଲାସୁତରାରେ ଅର୍ଥ ହଡ଼ପ ହେଉଥିବା ଅଭିଯୋଗ ହୋଇଛି । ଖୋଦ ଜିଲ୍ଲା ଆଦିବାସୀ ସମାଜ ମହାସଂଘର କର୍ମକର୍ତ୍ତା ତୁସେଇପଡା ଗାଁରେ ବୁଲି ନିମ୍ନମାନର ଆବାସ କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଅନ୍ୟପଟେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ । କେବେ ହେବ ଘର ଦୁର୍ନୀତିର ତଦନ୍ତ ? କେବେ ବଣ୍ଡା ହିତାଧିକାରୀଙ୍କ ମୁଣ୍ଡକୁ ମିଳୁଛି ଛାତ ? ଦୁର୍ନୀତିରେ ସାମିଲ ଥିବା ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କେବେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ?

