spot_img

Latest Posts

ଆଜି ବସିବ GST କାଉନସିଲ ବୈଠକ: କମିବ କି ପେଟ୍ରୋଲ ଦର ?

ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଛି । ଏଣୁ ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଜନତାଙ୍କୁ ଆଶ୍ୱସ୍ତି ଦେବାକୁ ତେଲ ଦରରେ କମ୍‌ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଦୀର୍ଘ ଦିନ ହେଲା ବର୍ଦ୍ଧିତ ସ୍ଥିତିରେ ଥିବା ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦରକୁ ହ୍ରାସ କରିବା ପାଇଁ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ୪୫ତମ ଜିଏସ୍‌ଟି ପ୍ୟାନେଲର ବୈଠକ ବସିବ। ଏହି ସମୟରେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ସାମିଲ କରିବାକୁ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ଆଉ ଯଦି ଏହି ବୈଠକରେ ସର୍ବସମ୍ମତିକ୍ରମେ ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟି ପରିସରରେ ଆସିବ ତେବେ ଦେଶବାସୀ ମହଙ୍ଗାମାଡ଼ରୁ ନିସ୍ତାର ପାଇପାରନ୍ତି।

GST ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଦାମ ହ୍ରାସ କରିବା ଉପରେ ଆଲୋଚନା କରାଯିବ । ଯଦି ବୈଠକରେ ତୈଳ ଦର ଉପରେ ଜିଏସଟି ଲାଗୁ ହେବା ପ୍ରସ୍ତାବ ଅନୁମୋଦନ ହୁଏ ତେବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭୫ ଟଙ୍କାକୁ ଖସି ଆସିପାରେ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୬୮ ଟଙ୍କାକୁ ହ୍ରାସ ହୋଇପାରେ । ଫଳରେ ତେଲର ସେଞ୍ଚୁରି ମାଡ଼ରୁ ମୁକ୍ତି ମିଳିବ। ଆଉ ପେଟ୍ରୋଲ ଓ ଡିଜେଲ ଦର କମିଲେ ତତ୍‌ ସମ୍ପର୍କିତ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକର ଦର ବି କମିଯିବ। ଫଳରେ ଲୋକେ ମହଙ୍ଗାମାଡ଼ରୁ ନିସ୍ତାର ପାଇବେ।

ସୂଚନା ଥାଉକି, ଜୁନ୍‌ ମାସରେ କେରଳ ହାଇକୋର୍ଟ ପେଟ୍ରୋଲିୟମ ଜାତୀୟ ଦ୍ରବ୍ୟକୁ ଜିଏସ୍‌ଟି ପରିସର ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଏସ୍‌ଟି ମନ୍ତ୍ରୀ ସମୂହ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଆଜି ହେଉଥିବା ଜିଏସ୍‌ଟି ବୈଠକରେ ଏହି ପ୍ରସ୍ତାବକୁ ଏକ ତୃତୀୟାଂଶ ସଦସ୍ୟଙ୍କ ଅନୁମୋଦନ ମିଳିଲେ, ପେଟ୍ରୋଲିୟମ ଜାତୀୟ ଦ୍ରବ୍ୟ ଜିଏସ୍‌ଟି ପରିସର ଭୁକ୍ତ ହେବ ।

Latest Posts

Don't Miss