ଦିନେ ମଶା ସହିତ ରାତି ବିତୁଥିଲା, ଏବେ ଫାଇଭ୍‌ ଷ୍ଟାର ହୋଟେଲରେ ବିତୁଛି ଜୀବନ

1 min read

ମୁମ୍ବାଇ:  ଏହା କୌଣସି ସ୍ୱପ୍ନ ଠାରୁ କମ୍‌ ନୁହେଁ । କେବେ ରାତିରେ ମଶା ଘଉଡ଼ାଇବାରେ ରାତି ବିତୁଥିଲା, ଷ୍ଟାଡିୟମରେ ଶୋଇବାକୁ ପଡ଼ୁଥିଲା, ଆଉ ଏବେ ବିଳାସପୂର୍ଣ୍ଣ ଜୀବନ ।

ବସନ୍ତ ମୋହିତେ । ବୟସ ୫୭ ବର୍ଷ । ଜୀବନରେ ଅଚାନକ ସବୁକିଛି ବଦଳିଗଲା । ଏବେ ଜୀବନ ବିତୁଛି ଲଗଜରୀ ହୋଟେଲରେ । ଯାହାକୁ ସେ କେବେ ମଧ୍ୟ ସ୍ୱପ୍ନରେ ସୁଧା ଭାବିନଥିଲେ । ବାସ୍ତବରେ ଏ ସବୁ ସମ୍ଭବ ହୋଇପାରିଛଇ IPL ପାଇଁ । ଇଣ୍ଡିଆନ୍‌ ପ୍ରିମିୟର ଲିଗର ଏହି ସିଜନରେ ମୋହିତେଙ୍କ ଜୀବନରେ ଏହି ସୁନ୍ଦର ସମୟ ଆସିଛି । ସାଧାରଣ ଦିନରେ ମିଳିନଥିବା ପ୍ରତ୍ୟକଟି ଜିନିଷ ଏବେ ତାଙ୍କ ହାତ ମୁଠାରେ  ।

ମୋହିତେ ହେଉଛନ୍ତି ଓ୍ୱାଂଖଡ଼େ ଷ୍ଟାଡିୟମର ଗ୍ରାଉଣ୍ଡମ୍ୟାନ୍‌ । ଚଳିତ ଥର କନଫେକ୍ସରୀ କମ୍ପାନୀ କ୍ୟାଡବରି ଗ୍ରାଉଣ୍ଡ୍ସ କର୍ମଚାରୀଙ୍କ ପାଇଁ ଫାଇଭ୍‌ ଷ୍ଟାର ହୋଟେଲରେ ରହିବାର ବନ୍ଦୋବସ୍ତ କରିଛି । ଏମାନଙ୍କ ପରିଶ୍ରମ ହୁଏତ ଲୋକ ଲୋଚନକୁ ଆସିପାରେନାହିଁ । ଖୁବ୍‌ କମ୍‌ ଲୋକ ଅଛନ୍ତି, ଯେଉଁମାନଙ୍କ ଧ୍ୟାନ ଏମାନଙ୍କ ଉପରକୁ ଯାଏ ।  ଏହି ଗ୍ରାଉଣ୍ଡ କର୍ମଚାରୀଙ୍କୁ ଡିଜାଇନର ମସାବାଙ୍କ ଡିଜାଇନ୍‌ ଡ୍ରେସ୍‌ ମିଳିଛି ।  ଏହା ସହିତ ରହିବା ଠାରୁ ଖାଇବା ଏବଂ ଯିବା ଆସିବାର ସମସ୍ତ ସୁବିଧା ।

ମୋହିତେ ଏହାକୁ କୌଣସି ଚମତ୍କାର ଠାରୁ କମ୍‌ ଭାବନ୍ତି ନାହିଁ । ସେ ଏହାକୁ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁ ନାହାଁନ୍ତି ।

ମୋହିତେଙ୍କ ଜୀବନ ଏହା ପୂର୍ବରୁ ଖୁବ୍‌ ଅଲଗା ଥିଲା । ଖୁବ୍‌ କଷ୍ଟସାଧ୍ୟ । ଖେଳ ଯେତେ ବିଳମ୍ବ ସିଫ୍ଟ ମଧ୍ୟ ସେତିକି ବିଳମ୍ବ । ବିଳମ୍ବିତ ରାତିରେ ଘରକୁ ଯିବା ସମ୍ଭବ ହୋଇନଥିବାରୁ ଷ୍ଟାଡିୟମରେ ରାତି ବିତାଇବାକୁ ପଡ଼େ । ତାହା ମଧ୍ୟ ପୁଳା ପୁଳା ମଶାଙ୍କ ସହିତ । କିନ୍ତୁ ଖେଳ ନଥିଲେ ସକାଳ ୯ଟାରେ ଗ୍ରାଉଣ୍ଡରେ ପହଞ୍ଚିବାକୁ ପଡ଼େ ଏବଂ ସଂଧ୍ୟା ୬ଟାରେ କାମ ସରେ । ତେବେ ଏଥିପାଇଁ ସେ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି ।