ଚୀନ ସହ ଆମେରିକା ସମ୍ପର୍କ ଖରାପ ନକରିବାର ୫ଟି କାରଣ, ଟ୍ରମ୍ପ ବଢ଼ାଇଲେ ଟାରିଫ ଡେଡଲାଇନ୍

1 min read

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ଏକ୍ସଟ୍ରା ଟାରିଫ ଲଗାଇବା ନିଷ୍ପତ୍ତିକୁ ୯୦ ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି । ସୋସିଆଲ ମିଡିଆରେ ଟ୍ରମ୍ପ ପୋଷ୍ଟ କରି କହିଛନ୍ତି, ଆମେରିକା ଚୀନ ଟାରିଫକୁ ୯ ନଭେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ବର୍ତ୍ତମାନ ଆମେରିକା ଚୀନ ଉପରେ ୩୦ ପ୍ରତିଶତ ଟାରିଫ ଲଗାଇଛି । ଏପ୍ରିଲରେ ଆମେରିକା ଚୀନ ଉପରେ ୨୪୫ ପ୍ରତିଶତ ଟାରିଫ ଲଗାଇବାକୁ ଧମକ ଦେଇଥିଲା । ଏହାର ଜବାବରେ ଚୀନ ଆମେରିକା ଉପରେ ୧୨୫ ପ୍ରତିଶତ ଟାରିଫ ଲଗାଇବାକୁ କହିଥିଲା ।

ଟାରିଫକୁ ନେଇ ଦୁଇ ଦେଶ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ହଠାତ ଟ୍ରମ୍ପଙ୍କ ଚୀନ ଉପରେ ଏତେ ଦୟା କାହିଁକି ଦେଖାଇଲେ । ତେବେ ବିଶେଷଜ୍ଞଙ୍କ ମତରେ ଟ୍ରମ୍ପଙ୍କ ୟୂ-ଟର୍ଣ୍ଣ ଏମିତି ନୁହେଁ । ଆମେରିକା ଯେତେ ଧମକ ଦେଲେ ବି ଆମେରିକା କେତେ ପରିମାଣରେ ଚୀନ ଉପରେ ନିର୍ଭରଶୀଳ ତାହା ତଥ୍ୟ କହୁଛି । ଏମିତି ସ୍ଥିତିରେ ବେପାରରେ ଚୀନ ସହ ପଙ୍ଗା ନେବା ଆମେରିକା ପାଇଁ ମହଙ୍ଗା ପଡ଼ିପାରେ । ଏହାସହ ଆମେରିକୀୟ କମ୍ପାନୀଙ୍କ ବିରୋଧ ମଧ୍ୟ ଏକ କାରଣ ବୋଲି କୁହାଯାଉଛି ।

ଆମଦାନୀ ରିପୋର୍ଟ ଅନୁସାରେ ଆମେରିକା ଅଧିକାଂଶ ଦ୍ରବ୍ୟ ତିନୋଟି ଦେଶରୁ ମଗାଇଥାଏ । ପ୍ରଥମରେ ମେକ୍ସିକୋ, ଦ୍ବିତୀୟରେ ଚୀନ ଓ ତୃତୀୟରେ କାନାଡା ରହିଛି । ଏମିତି ନୁହେଁ ଯେ, ଉତ୍ପାଦନରେ ଆମେରିକା ବହୁତ ପଛରେ ଅଛି । ହେଲେ ଚୀନକୁ ବେପାର ସହଯୋଗୀ କରି ବେପାର କରିବାକୁ ଆମେରିକା ବାଧ୍ୟ । ଏମିତି ହେବା ପଛରେ ରହିଛି ୫ଟି ବଡ଼ କାରଣ । ଆସନ୍ତୁ ଜାଣିବା ଏହି ସବୁ କାରଣ ସମ୍ପର୍କରେ ଯେଉଁଥି ପାଇଁ ଆମେରିକା ଚୀନ ସହ ଟାରିଫ ଓ୍ବାରରୁ ବଞ୍ଚିବାକୁ ଚାହୁଁଛି ।

ଶସ୍ତା ଜିନିଷ ଚୀନର ଶକ୍ତି

ଚୀନରେ ଶ୍ରମ ଶସ୍ତା । ଜନସଂଖ୍ୟ ଅଧିକ । ଅର୍ଥାତ, କମ୍ପାନୀମାନଙ୍କୁ କମ ଦରମାରେ କାମ କରିବାକୁ ଲୋକ ମିଳୁଛନ୍ତି । ଫଳରେ ଉତ୍ପାଦନରେ କମ ଖର୍ଚ୍ଚ ହୋଇତାଏ । ଏହା ହିଁ ଚୀନର ସବୁଠାରୁ ବଡ଼ ଶକ୍ତି । ଯାହାର ଲାଭ ଚୀନ ସବୁ ବେଳେ ଉଠାଇ ଥାଏ ଓ ସାରା ବିଶ୍ବରେ ଚୀନ ସାମଗ୍ରୀର ମୂଲ୍ୟ ଅନ୍ୟ ଦେଶମାନଙ୍କ ତୁଳନାରେ ଶସ୍ତା ହୋଇଥାଏ ।

ଉତ୍ପାଦନ ଅଧିକ ଓ ଦୃଢ଼ ସପ୍ଲାଇ ଚେନ୍

ବହୁତ ପରିମାଣରେ ଚୀନ ସାମଗ୍ରୀ ଉତ୍ପାଦନ କରିଥାଏ । ଏହାର ସବୁଠାରୁ ବଡ଼ ଶକ୍ତି ହେଲା ମାନବ ସମ୍ବଳ । ଯାହା ଚୀନ ପାଖରେ ପ୍ରଚୁର ପରିମାଣରେ ରହିଛି । ଚୀନରୁ ଆମେରିକାରେ ସାମଗ୍ରୀ ପହଞ୍ଚିବାକୁ ଅଧିକ ସମୟ ଲାଗୁଥାଇ ପାରେ । ହେଲେ ଉତ୍ପାଦନ କ୍ଷମତା ଓ ବନ୍ଦର ନେଟଓ୍ବର୍କ ବଡ଼ ଭୂମିକା ନିଭାଇଥାଏ । ଦୁଇ ଦେଶ ମଧ୍ୟରେ ସ୍ଥାୟୀ ବେପାର ମାର୍ଗ ଓ ଭିତ୍ତିଭୂମି ସୁଦୃଢ଼ । ଯାହା ଦୁଇ ଦେଶ ମଧ୍ୟରେ ପରସ୍ପର ପ୍ରତି ନିର୍ଭରତାକୁ ବଢ଼ାଇଥାଏ ।

ଆମେରିକୀୟ କମ୍ପାନୀଙ୍କ ନିବେଶ

ଓ୍ବାର୍ଲ୍ଡ ଇକୋନମିକ ଫୋରମ ଅନୁସାରେ, ଆମେରିକୀୟ କମ୍ପାନୀ ଚୀନରେ ପ୍ରଚୁର ପରିମାଣରେ ନିବେଶ କରିଛନ୍ତି । ହେଲେ ଦେଖା ଦେଇଥିବା ଟାରିଫ ଓ୍ବାର ଭିତରେ ଆମେରିକୀୟ କମ୍ପାନୀମାନେ ଆଲର୍ଟ ମୁଡ଼ରେ ଅଛନ୍ତି । ୟୂଏସ-ଚୀନ ବିଜେନସ କାଉନସିଲ ସର୍ବକ୍ଷଣ ୨୦୨୫ ତଥ୍ୟ ଅନୁସାରେ, ବର୍ତ୍ତମାନ ଟାରିଫ ଦ୍ବନ୍ଦ୍ବ ମଧ୍ୟରେ ୪୮ ପ୍ରତିଶତ ଆମେରିକୀୟ କମ୍ପାନୀ ଚୀନରେ ବେପାର କରିବାକୁ ଯୋଜନା କରୁଛନ୍ତି । ଯାହା ୨୦୨୪ରେ ନିବେଶ ପାଇଁ ଯୋଜନା କରିଥିବା ୮୦ ପ୍ରତିଶତଠାରୁ ବହୁତ କମ ।

୨୦୦୧ରୁ ବଢ଼ିଛି ଆମେରିକାର ନିର୍ଭରତା

୨୦୦୧ରେ WTO ସାମିଲ ହେବା ପରେ ଆମେରିକା ବଜାର ପାଇଁ ଚୀନ ଖୋଲିଯାଇଥିଲା । ଆମେରିକୀୟ କମ୍ପାନୀମାନେ ପ୍ରଚୁର ପରିମାଣରେ ଭିତ୍ତିଭୁମି ଚୀନକୁ ସିଫ୍ଟ କରିଥିଲେ । ଦୁଇ ଦେଶ ଭିତରେ ଆମେରିକୀୟ କମ୍ପାନୀମାନେ କାରଖାନା ସ୍ଥାପନ ସହ ଆସେମ୍ବ୍ଲିଂ ପ୍ଲାଣ୍ଟରେ ଅଧିକ ପରିମାଣରେ ନିବେଶ କରିଥିଲେ । ଯାହାଦ୍ବାରା ଚୀନ ଉପରେ ନିର୍ଭରତା ଆଡୁରି ବଢ଼ିଗଲା । ଏବେ ବି କିଛି ଆମେରିକୀୟ କମ୍ପାନୀ ଉତ୍ପାଦନର କିଛି ଅଂଶ ମେକ୍ସିକୋ ଓ ଚୀନରେ ଆଉଟ ସୋର୍ସ କରିବା କାମ କରୁଛନ୍ତି ।

ଆମେରିକୀୟ ନୀତି

ଚୀନ ନିଜ ବ୍ୟବସାୟକୁ ବ୍ୟବସ୍ଥିତ ରଖିଥାଏ । ଏଠାରେ କାରଖାନା, ପାର୍ଟ ସପ୍ଲାଏ ଓ ଲଜିଷ୍ଟିକ୍ସ ହବ ସବୁ ପାଖାପାଖି ଥାଏ । ହେଲେ ଆମେରିକାରେ ଏମିତି ହୋଇ ନଥାଏ । ଏଠାରେ କିଛି ବି ବ୍ୟବସ୍ଥିତ ନହୋଇ ଭିନ୍ନ ଭିନ୍ନ ସ୍ଥାନରେ ଥାଏ । ଆମେରିକା ନିଜ କାରଖାନା କ୍ଷମତାକୁ ହାଇ ଭେଲ୍ୟୁ ଓ ହାଇଟେକ ସେକ୍ଟର ପାଇଁ ବଢ଼ାଇ ରଖିଛି । ଏପଟେ କମ ମୂଲ୍ୟର ଦ୍ରବ୍ୟ ଚୀନ ଓ ମେକ୍ସିକୋରୁ ଆମଦାନୀ କରୁଛି ।

ଆମେରିକା, ଚୀନରୁ ଏମିତି ସାମଗ୍ରୀ ଆମଦାନୀ କରିଥାଏ ଯାହାର ମୂଲ୍ୟ କମ ଥିବା ବେଳେ ଡିମାଣ୍ଡ ଅଧିକ ରହିଥାଏ । ଯେମିତିକି ବୈଦ୍ୟୁତିକ ସରଞ୍ଜାମ, ଉପକରଣ, ଖେଳନା, ଗେମ୍ କନସୋଲ । ଏସବୁ ସେହି ସାମଗ୍ରୀ ଯାହା ଆମେରିକା ଚୀନରୁ ଅଧିକ ପରିମାଣରେ ଆମଦାନୀ କରିଥାଏ । ଏହାବାଦ ଫର୍ଣ୍ଣିଚର, ପ୍ଲାଷ୍ଟିକ ପରି ଏକାଧିକ କଞ୍ଜୁମର ସାମଗ୍ରୀ ମଗାଇଥାଏ ।