ସୁକେଶ ଚନ୍ଦ୍ରଶେଖର; ଜେଲରେ ବସି ଠକୁଛି କର୍ପୋରେଟ୍ ଠକଙ୍କୁ

ସୁକେଶ ଚନ୍ଦ୍ରଶେଖରକୁ ଦୁନିଆ ଏମିତି ଖାଲିରେ ମହାଠକର ଉପାଧୀ ଦେଇନାହିଁ । ଠକେଇ ପାଇଁ ଜଣେ ଶିକାର ଖୋଜେ,ବାହାର ଜାଲ ବିଛାଏ । କିନ୍ତୁ ଏସବୁ ସୁକେଶ ଜେଲରେ ବସି ସହଜରେ କରିଦିଏ । ଏତେ ସହଜରେ ଯେ, ଜେଲ ଭିତରୁ ଦୁଇ ଜଣ ଶିଳ୍ପପତିଙ୍କ ପତ୍ନୀଙ୍କଠାରୁ ସେ ୨ଶହ କୋଟି ଉଡାଇ ନିଏ । ଏମିତି ଦୁଇ ଜଣ ଶିଳ୍ପପତି ଯେଉଁମାନେ ନିଜେ କର୍ପୋରେଟ୍ ଠକେଇ ପାଇଁ ଜେଲରେ ବନ୍ଦ ଅଛନ୍ତି । ୧୭ ବର୍ଷ ବୟସରୁ ଠକେଇର ମାଷ୍ଟର କାରିୟର ଆରମ୍ଭ କରିଥିବା ସୁକେଶ ଗଲା ୧୫ ବର୍ଷରେ ୫ଶହ କୋଟି ଲୁଟି ସାରିଛି । ତେବେ ଜେଲରେ ବସି ସେ କେମିତି ଦୁଇ ଜଣ ଶିଳ୍ପପତିଙ୍କଠାରୁ ୨ଶହ କୋଟି ଠକି ନେଲା ଆସନ୍ତୁ ନଜର ପକାଇବା ସୁକେଶର ମାଷ୍ଟର ପ୍ଲାନ୍ ଉପରେ..

ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ତିହାଡର ମଣ୍ଡୋଲି ଜେଲରେ ବନ୍ଦୀ ହୋଇରହିଛି । ତା’ ଉପରେ ୨୦୦ କୋଟି ଟଙ୍କାର ଠକେଇ ମାମଲା ରହିଛି । ଏହି ଠକେଇ ରେନବେକ୍ସି ମାଲିକ ଶିବନ୍ଦର ସିଂଙ୍କ ପତ୍ନୀଙ୍କ ଠାରୁ ହୋଇଥିଲା । ଖାଲି ଏତିକି ନୁହେଁ ଶିବନ୍ଦରଙ୍କ ଭାଇଙ୍କ ପତ୍ନୀଙ୍କୁ ମଧ୍ୟ ଚୂନା ଲଗାଇଥିଲା ସୁକେଶ । ଏହି ମାମଲାରେ ଇଡି ସୁକେଶଙ୍କୁ ଗିରଫ କରିବା ସହ ୯ ଦିନିଆ ରିମାଣ୍ଡରେ ନେଇଛି ।

ଶିବନ୍ଦର ଓ ତାଙ୍କ ଭାଇ ମଲବିନ୍ଦର ସିଂ ଠକେଇ ମାମଲାରେ ଜେଲ ସଜା କାଟୁଛନ୍ତି । ଦୁହେଁ ପ୍ରାୟ ୪ ବର୍ଷ ହେବ ଜେଲରେ ବନ୍ଦୀ ହୋଇ ରହିଛନ୍ତି । ଆଉ ଏହାର ଫାଇଦା ଉଠାଇଥିଲା ମହାଠକ ସୁକେଶ, ଦୁଇ ଭାଇଙ୍କ ପତ୍ନୀଙ୍କୁ ମୋଟା ଅଙ୍କର ଚୂନା ଲଗାଇଥିଲା । ଏକ ଭିନ୍ନ ଅନ୍ଦାଜରେ ଠକେଇ କରିଥାଏ ସୁକେଶ । ନିଜକୁ ବଡ଼ ସରକାରୀ ଅଫିସରର ପରିଚୟ ଦେଇଥାଏ । ପରେ ବିଶ୍ୱାସ ଜନ୍ମାଇ ଲୁଟିଥାଏ।

ସୁକେଶ ନାଁରେ ମନିଲଣ୍ଡ୍ରିଂ ମାମଲା ରହିଛି । ଏହି ଘଟଣାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଜେରା କରାଯାଇଥିଲା । ସୁକେଶ ଗୃହ ମନ୍ତ୍ରଣାଳୟରେ ବଡ଼ ଅଫିସର ଥିବା ନେଇ ଜ୍ୟାକଲିନଙ୍କ ମ୍ୟାନେଜରକୁ ପରିଚୟ ଦେଇଥିଲା । ନିଜକୁ ସେ ଏକ ଟିଭି ଚ୍ୟାନେଲର ମାଲିକ ବୋଲି ମଧ୍ୟ କହିଥିଲା । ସବୁଠୁ ଖାସ୍ କଥା ହେଉଛି ଜେଲରେ ରହି ସୁକେଶ ଏହି ଫୋନ୍ କଲ୍ କରିଥିଲା । ପରେ ୨୦୨୧ ଜୁନରେ ପ୍ରଥମ ଥର ପାଇଁ ଚେନ୍ନାଇରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା । ସେତେବେଳେ ସୁକେଶ ଜେଲରୁ ପାରୋଲରେ ଆସିଥିବା ଜାଣିବି ପାରିନଥିଲେ ଜ୍ୟାକଲିନ୍ ।

ଠିକ୍ ସେହିପରି ୨୦୨୦ରେ ଅଦିତି ସିଂହଙ୍କୁ କେନ୍ଦ୍ର ଆଇନ ଓ ଗୃହ ମନ୍ତ୍ରଣାଳୟର ଅଫିସର ବୋଲି ପରିଚୟ ଦେଇଥିଲା। ଆଉ ତାଙ୍କ ସ୍ୱାମୀଙ୍କ ଜାମିନ କରାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଅଦିତି ବିଶ୍ୱାସ କରି ତାଙ୍କୁ ଟଙ୍କା ଦେବା ପରେ ଅଧିକ ଟଙ୍କା ଡିମାଣ୍ଡ କରିବାରେ ଲାଗିଥିଲା ସୁକେଶ । ମୋଟ୍ ୨୦୦ କୋଟି ଟଙ୍କାର ଠକେଇ କରିଥିଲା ସୁକେଶ ।

ସେହପରି ମଲବିନ୍ଦର ସିଂଙ୍କ ପତ୍ନୀ ଜାପନା ସିଂହଙ୍କୁ ଭିନ୍ନ ଏକ ପରିଚୟ ଦେଇଥିଲା । କେନ୍ଦ୍ରୀୟ ଆଇନ ସଚିବ ଅନୁପ କୁମାରଙ୍କ ଅଫିସରୁ କଲ୍ କରିଥିବା କହିଥିଲା। ଜେଲରେ ତାଙ୍କ ସ୍ୱାମୀଙ୍କ ସିକ୍ୟୁରିଟି ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କଥା ଦେଇଥିଲା । ପରେ ୪ କୋଟି ଟଙ୍କାର ଚୂନା ଲଗାଇଥିଲା ।

୧୭ ବର୍ଷ ବୟସରୁ ଠକେଇ କରୁଛି ସୁକେଶ। ବେଙ୍ଗାଲୁରୁରେ ଜନ୍ମିତ ସୁକେଶ ନେତାଙ୍କ ଠାରୁ ଆରମ୍ଭ କରି ବିଜନେସମ୍ୟାନଙ୍କୁ ଚୂନା ଲଗାଇଛି। ଜେଲରେ ବନ୍ଦୀଥିବା ସୁକେଶ ଫୋନ୍ କରିବା ପାଇଁ ଆପ୍ ର ବ୍ୟବହାର କରିଥାଏ । ଫଳରେ ସେ କାହାକୁ କଲ୍ କଲେ ବଡ ଅଧିକାରୀ ମାନଙ୍କ ନଂ ଦେଖାଇବ।

ନଜର ପକାନ୍ତୁ