କେଉଁ ଦେଶ ଉପରେ କେତେ ଟାରିଫ ଲାଗିବ, କେମିତି ସ୍ଥିର କରିଥାଏ ଆମେରିକା? ଜାଣନ୍ତୁ ଟ୍ରମ୍ପଙ୍କ ଟାରିଫ ହିସାବ

ନନ୍ଦିଘୋଷ ବ୍ୟୁରୋ: ଦ୍ବିତୀୟ ଥର ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ସାରା ବିଶ୍ବ ଉପରେ ଟାରିଫ ଲଦି ଦେଇଛନ୍ତି । ଭାରତ ହେଉ କି ଚୀନ ଅଥବା ଆମେରିକାର ସହଯୋଗୀ କେହି ଟ୍ରମ୍ପଙ୍କ ଟାରିଫ ଆଟାକରୁ ବର୍ତ୍ତି ନାହାନ୍ତି । ଟ୍ରମ୍ପ ଚୀନ ଉପରେ ବାରମ୍ବାର ଟାରିଫ ଲଗାଇ ଚାଲିଥିବା ବେଳେ ଭାରତ ଉପରେ ୨୫ ପ୍ରତିଶତ ଲଗାଇଛନ୍ତି । ହେଲେ କେବେ ଚିନ୍ତା କରିଛନ୍ତି କି କୌଣସି ଦେଶ ଉପରେ ଆମେରିକା କେମିତି ଟାରିଫ ଲଗାଉଛି ? ଟ୍ରମ୍ପ ନିଜ ଇଚ୍ଛାରେ ଯାହା ଉପରେ ଯେତେ ଚିନ୍ତା କଲେ ଟାରିଫ ଲଗାଇ ଦେଉଛନ୍ତି ନା ଏହାର କିଛି ଫର୍ମୁଲା ରହିଛି ? ଆମେରିକାର କେଉଁ ହିସାବରେ କେଉଁ ଦେଶ ଉପରେ କେତେ ଟାରିଫ ଲଗାଉଛି ଆସନ୍ତୁ ଜାଣିବା ।
କିଛିଦିନ ପୂର୍ବରୁ ହ୍ବାଇଟ ଡାଉସ୍ ପକ୍ଷରୁ ଏକ ରିପୋର୍ଟ ସାର୍ବଜନୀନ କରାଯାଇଥିଲା । ଟାରିଫ କେମିତି ଲାଗୁ କରାଯାଉଛି ଏଥିରେ ଉଲ୍ଲେଖ କରାଯାଇଥିଲା । ଏହା ଟ୍ରମ୍ପଙ୍କ କୌଣସି ମନମାନି ନୁହେଁ, ବରଂ ଏକ ସାଧାରଣ ଫର୍ମୁଲା ଅନୁସାରେ କେଉଁ ଦେଶ ଉପରେ କେତେ ଟାରିଫ ଲାଗିବ ତାହା ସ୍ଥିର କରାଯାଉଥିବା ଏହି ରିପୋର୍ଟରେ କୁହାଯାଇଛି । ଭାରତ ଓ ଚୀନ ସମେତ ଅନ୍ୟ ଦେଶମାନଙ୍କ ଉପରେ ଏହି ଟାରିଫ କାଲକ୍ୟୁଲେସନ ଫର୍ମୁଲା ଅନୁସାରେ ଟ୍ରମ୍ପ ଟାରିଫ ଲଗାଇଛନ୍ତି ।
କେମିତି ସ୍ଥିର ହେଉଛି ଟ୍ରମ୍ପଙ୍କ ଟାରିଫ ?
ଗତ ଏପ୍ରିଲ ୨ ତାରିଖରେ ଟ୍ରମ୍ପ ଯେତେବେଳେ ସମସ୍ତ ଦେଶଙ୍କ ଉପରେ ଟାରିଫ ସ୍ଥିର କରିଥିଲେ ସେତେବେଳେ ସେ ଏକ ତାଲିକା ଦେଖାଇଥିଲେ । ଏଥିରେ କେଉଁ ଦେଶ ଉପରେ କେତେ ଟାରିଫ ଲାଗିଛି ତାହା ଉଲ୍ଲେଖ ଥିଲା । ଆଉ ଏହି କାଲକ୍ୟୁଲେଶନକୁ ନେଇ ଆମେରିକା ଏକ ଫର୍ମୁଲା ମଧ୍ୟ ସେୟାର କରିଥିଲା । ଯାହା ଦେଖିବାକୁ ଏକ ଜଟିଳ ଗଣିତ ପରି ମନେ ହେଉଥିଲା । ହେଲେ ଏହା ବାସ୍ତବରେ ଏକ ସାଧାରଣ ଗାଣିତିକ ଫର୍ମୁଲା । ଏହି ଫର୍ମୁଲା ଅନୁସାରେ ଏକ ଦେଶ ସହ ଆମେରିକାର ବାଣିଜ୍ୟିକ କ୍ଷତିକୁ ନେବେ । ଏହାକୁ ଉକ୍ତ ଦେଶରୁ ଆମଦାନୀ ସହ ବିଭାଜନ କରିବେ । ଏହାପରେ ଯାହା ଫଳ ଆସିବ ତାହାକୁ ଦୁଇରେ ଭାଗ କରିଦେବେ । ଆଉ ଶେଷରେ ଯାହା ବାହାରିଲା ତାହା ଉକ୍ତ ଦେଶ ଉପରେ ଟାରିଫ ଆକାରରେ ଲାଗୁ ହୋଇଥିଲା ।
ଉଦାହରଣ ଭାବେ ଚୀନ ଓ ଆମେରିକା ମଧ୍ୟରେ ବ୍ୟବସାୟକୁ ନିଆଯାଇପାରେ । ଚିନ୍ତା କରନ୍ତୁ ଆମେରିକାର ବ୍ୟବସାୟିକ କ୍ଷତି ୨୯୫ ଅରବ ଡଲାର । ଚୀନ ପାଖରୁ ଆମେରିକା ୪୪୦ ଅରବ ଡଲାରର ଦ୍ରବ୍ୟ କିଣୁଛି । ଏବେ ୨୯୫କୁ ୪୪୦ ସହ ବିଭାଜିତ କଲେ ୬୭ ପ୍ରତିଶତ ଆସୁଛି । ଏବେ ଏହାକୁ ଦୁଇରେ ଭାଗ କରିବା ଦ୍ବାରା ୩୪ ପ୍ରତିଶତ ହେଉଛି । ଏହି ହିସାବରେ କାଲକ୍ୟୁଲେଶନ କରି ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଛି ।