ନନ୍ଦିଘୋଷ ବ୍ୟୁରୋ : ଆଜି ଦେଶବ୍ୟାପୀ ଆରମ୍ଭ ହେବ ହ୍ୟୁମାନ ପାପିଲୋମା ଭାଇରସ ଭାକ୍ସିନ ବା ଏଚପିଭି ଅଭିଯାନ l ରାଜସ୍ଥାନ ଆଜମେରରୁ ଆରମ୍ଭ ହେବ ଏହି ଅଭିଯାନ l 14 ବର୍ଷ ବୟସର ବାଳିକାମାନଙ୍କ ଲାଗି ଆରମ୍ଭ ହେବ ଟିକାକରଣ l ଟିକାକରଣ ଜରିଆରେ ସର୍ଭିକାଲ କ୍ୟାନସର ରୋକିବା ଲାଗି ଏହା ଉଦ୍ଦିଷ୍ଟ l କେବଳ ଭାରତ ନୁହେଁ ସାରା ବିଶ୍ବରେ ସର୍ଭିକାଲ କ୍ୟାନସରର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି l ସର୍ଭିକାଲ କ୍ୟାନସର ଏକମାତ୍ର କ୍ୟାନସର ଯାହାକୁ ଟିକାକରଣ ଦ୍ବାରା ରୋକାଯାଇପାରିଥାଏ l ସର୍ଭିକାଲ କ୍ୟାନସରର ମୂଳ କାରଣ ସାଜିଥାଏ ହ୍ୟୁମାନ ପାପିଲୋମା ଭାଇରସ ବା ଏଚପିଭି l ଯେଉଁ ବାଳିକାମାନେ 14ତମ ଜନ୍ମଦିବସ ପାଳନ କରିଥିବେ ମାତ୍ର 15 ବର୍ଷ ବୟସରେ ପଦାର୍ପଣ କରି ନଥିବେ ସେମାନଙ୍କୁ ଟିକାକରଣ କରାଯିବ l ଟିକା ପ୍ରଦାନ କରାଯିବା ପରେ ସେମାନଙ୍କୁ 30 ମିନଟ ଲାଗି ନିରୀକ୍ଷଣରେ ରଖାଯିବ l
ଏହା ଏକ ସ୍ବେଚ୍ଛାମୂଳକ ଟିକାକରଣ କାର୍ଯ୍ଯକ୍ରମ ଏବଂ ଟିକାକରଣ କ୍ଷେତ୍ରରେ ବାପା, ମା, ଅଭିଭାବକଙ୍କ ସ୍ବୀକୃତି ବାଧ୍ୟତାମୂଳକ ହେବ l ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର-ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ l ଏହା ସହ ଉପଜିଲ୍ଲା ଚିକିତ୍ସାଳୟ, ଜିଲ୍ଲା ଚିକିତ୍ସାଳୟ, ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ବି ଟିକାଦିଆଯିବ l 2030 ସୁଦ୍ଧା ବିଶ୍ବରୁ ଏହି ମାରାତ୍ମକ କର୍କଟ ରୋଗ ହଟାଇବା ଲାଗି ଲକ୍ଷ୍ୟ ରଖାଯାଇଛି l ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଥିବା କ୍ୟାନସର ମଧ୍ୟରୁ ଏହି କ୍ୟାନସର ହେଉଛି ଚତୁର୍ଥ ସର୍ବାଧିକ ଦେଖାଯାଉଥିବା କ୍ୟାନସର l 2022ରେ ଏହି ରୋଗରେ ପ୍ରାଣ ହରାଇଥିଲେ 3 ଲକ୍ଷ 50 ହଜାର ମହିଳା l ଆଫ୍ରିକାରେ କେବଳ ଯାଇଥିଲା 80 ହଜାର ମହିଳାଙ୍କ ଜୀବନ l

