କାଉନସେଲିଂ ପରେ ଥାନାରୁ ବାହାରିଲେ ହ୍ୟୁମାନ ଓ ତାଙ୍କ ପତ୍ନୀ ଶ୍ରୀୟା, କଣ୍ଠଶିଳ୍ପୀ କହିଲେ ସବୁ ଅଭିଯୋଗ…

1 min read

କଟକ: କଟକ ମହିଳା ଥାନାରୁ ବାହାରିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର । ଉଭୟଙ୍କୁ ମୁହାଁମୁହିଁ ବସାଇ କାଉନସେଲିଂ କରାଯାଇଛି । ହ୍ୟୁମାନଙ୍କ ମାଆ ସେଫାଳି ସୁନା ମଧ୍ୟ ଥାନାରେ ହାଜର ହୋଇଥିଲେ । ତେବେ ଜେରା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ହ୍ୟୁମାନ । ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ସେ କହିଛନ୍ତି ଶ୍ରୀୟାଙ୍କୁ କିଛି ନିର୍ଯାତନା ଦିଆଯାଇ ନାହିଁ । ଧର୍ମ ପରିବର୍ତ୍ତନ ପାଇଁ ଆଦୌ ଚାପ ପକାଯାଇନଥିବା କହିଛନ୍ତି ହ୍ୟୁମାନ । ସେପଟେ ହ୍ୟୁମାନଙ୍କ ମାଆ ମଧ୍ୟ ସମସ୍ତ ଅଭିଯୋଗକୁ ମିଥ୍ୟା କହିଛନ୍ତି ।

ଏହାସହ ଶ୍ରୀୟଙ୍କ ପରିବାର ନାଁରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଶ୍ରୀୟାଙ୍କ ଘରେ ସମସ୍ତେ ମଦ ପିଅନ୍ତି । ହ୍ୟୁମାନଙ୍କୁ ମଧ୍ୟ ମଦ ପିଆଉଥିଲେ । ଶ୍ରୀୟାଙ୍କୁ କେବେ ଚର୍ଚ୍ଚ ଯିବାକୁ ବାଧ୍ୟ କରାଯାଇ ନାହିଁ ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି । ଅନ୍ୟପଟେ ଉଭୟଙ୍କୁ ଦୁଇଦିନ ସମୟ ଦିଆଯାଇଥିବା କହିଛନ୍ତି ଆଇଆଇସି । ଉଭୟଙ୍କ ଭିତରେ ବୁଝାସୁଝା ପରେ ସବୁ ଠିକ ହୋଇଯିବାର ଆଶା କରାଯାଉଛି ବୋଲି କହିଛନ୍ତି ଆଇଆଇସି ।

ଗତକାଲି ହ୍ୟୁମାନଙ୍କ ବିରୋଧରେ ପତ୍ନୀ ଶ୍ରୀୟା ମିଶ୍ର ମାନସିକ ଓ ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଡିସିପିଙ୍କୁ ଭେଟି ପତ୍ନୀ ଅଭିଯୋଗ କରିବା ପରେ ମହିଳା ଥାନାରେ କାଉନସେଲିଂ ପାଇଁ ଆଜି ହାଜର ହୋଇଥିଲେ ଉଭୟେ । ୨୦୧୭ରେ ହ୍ୟୁମାନଙ୍କୁ ବିବାହ କରିଥିଲେ ଶ୍ରୀୟା। ତାଙ୍କର ଏକ ୪ବର୍ଷର ଝିଅ ବି ରହିଛି । ଶ୍ରୀୟା ନିଜେ ମଧ୍ୟ ଜଣେ କଣ୍ଠଶିଳ୍ପୀ। ମର୍କତନଗର ସେକ୍ଟର-୬ରେ ଉଭୟ ରହୁଥିଲେ। ତେବେ ପତ୍ନୀ ଶ୍ରୀୟା କିଛି ଦିନ ହେବ ଘରେ ରହୁନଥିଲେ ।