spot_img

Latest Posts

ଟିଟିଲାଗଡ଼ରେ ପହଞ୍ଚିଲା ହ୍ୟୁମାନ ସାଗରଙ୍କ ପାର୍ଥିବ ଶରୀର

ଟିଟିଲାଗଡ଼ରେ ପହଞ୍ଚିଲା ହ୍ୟୁମାନ ସାଗରଙ୍କ ପାର୍ଥିବ ଶରୀର

ନନ୍ଦିଘୋଷ ବ୍ୟୁରୋ: ଆରପାରିରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ହୋଇଥିଲା ପରଲୋକ । ଆଜି ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିକୁ ନିଆଯାଇଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ହ୍ୟୁମାନଙ୍କ ମରଶରୀର ପହଞ୍ଚିଛି । ତାଙ୍କୁ ହରାଇ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପୈତୃକ ଗାଁ ଡେଙ୍ଗରେ ଶ୍ରଦ୍ଧାଞ୍ଜଳି

ହ୍ୟୁମାନଙ୍କ ପାର୍ଥିବ ଶରୀର ଭୁବନେଶ୍ବରରୁ ଜନ୍ମମାଟି ତଥା ନିଜ ପୈତୃକ ଗାଁ ଡେଙ୍ଗ ନିଆଯାଇଥିଲା । ଭୁବନେଶ୍ବରରୁ ଟିଟିଲାଗଡ଼ ଯିବା ବାଟରେ ବିଭିନ୍ନ ସ୍ଥାନରେ ଲୋକେ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାରି ଭିତରେ ଡେଙ୍ଗ ଗାଁରେ ହ୍ୟୁମାନଙ୍କ ମରଶରୀର ପହଞ୍ଚିବା ବେଳେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଆତ୍ମୀୟ, ପରିଜନଙ୍କ ଆଖିରୁ ଲୁହ ଝରି ଆସିଥିଲା । ସେଠାରେ ଶେଷ ଦର୍ଶନ ପରେ ଟିଟିଲାଗଡ଼ ଅଭିମୁଖେ ବାହାରିଥିଲା ହ୍ୟୁମାନଙ୍କ ମରଶରୀରକୁ ନେଉଥିବା ଗାଡି । ଛକ ଛକରେ ଲୋକେ ଛିଡ଼ା ହୋଇ ନିଜ ପ୍ରିୟ କଣ୍ଠଶିଳ୍ପୀଙ୍କୁ ଶେଷ ବିଦାୟ ଦେଉଥିବା ଦେଖିବାକୁ ମିଳିଥିଲା । ଟିଟିଲାଗଡ଼ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ସୂଚନାଯୋଗ୍ୟ, ଏକାଧିକ ରୋଗରେ ପୀଡ଼ିତ ହୋଇ ହ୍ୟୁମାନ ସାଗର ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିଲେ । ସେଠାରେ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଥିଲା । ଏହି ଖବର ଜଣାପଡିବା ପରେ ଏମ୍ସ ପରିସରରେ ସିନେ ଜଗତର ବହୁ କଳାକାଳ, ସଙ୍ଗୀତ ଜଗତର ବ୍ୟକ୍ତି ବିଶେଷ ଓ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ସମସ୍ତେ ନିଜ ନିଜ ସ୍ତରରେ ତାଙ୍କ ସହ ବିତାଇଥିବା ସମୟକୁ ମନେ ପକାଇଥିଲେ ।

ହ୍ୟୁମାନଙ୍କ ପରଲୋକକୁ ନେଇ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।

Latest Posts

Don't Miss