ମୁଣ୍ଡ ଉପରେ ମୃତ୍ୟୁ ; ତଳେ ଚାଲିଛି ପ୍ରାଣ ରକ୍ଷା ପାଇଁ ପ୍ରଚେଷ୍ଟା

କଟକ: ମୁଣ୍ଡ ଉପରେ ମୃତ୍ୟୁ । ତଳେ ଚାଲିଛି ପ୍ରାଣ ରକ୍ଷା ପାଇଁ ପ୍ରଚେଷ୍ଟା । ଯେଉଁଠି ନିର୍ମାଣ କାର୍ଯ୍ୟ ସେଇଠି ଚାଲିଛି ରୋଗୀ ସେବା । ଏ କୌଣସି ଉପାନ୍ତ ଅଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର କଥା ନୁହେଁ ଖୋଦ ପୂର୍ବ ଭାରତର ସବୁଠୁ ବଡ଼ ସରକାରୀ ହସ୍ପିଟାଲର ଏସସିବିର ଚିତ୍ର । ପୁରୁଣା ମେଡ଼ିସିନ ବିଲଡିଂ ବୟସାଧିକ କାରଣରୁ ଅସୁରକ୍ଷିତ ହୋଇପଡିଥିବା ବେଳେ ଏବେ ପୂର୍ତ୍ତ ବିଭାଗ ଏହାର ମରାମତି ଆରମ୍ଭ କରିଛି । ତେବେ ଆଶ୍ଚର୍ଯ୍ୟର କଥା ଯେଉଁଠି କାମ ଚାଲିଛି ସେହି ବିଲଡିଂରେ ଶହ ଶହ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ବେଳେ ପାଖରେ ଅଛନ୍ତି ସମ୍ପର୍କୀୟ । ଡାକ୍ତର ଓ କର୍ମଚାରୀ ମଧ୍ୟ ବିଲଡିଂରେ ଉପସ୍ଥିତ ଥିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡିଥିବା ଅଭିଯୋଗ ହୋଇଛି । ଏନେଇ ମେଡିକାଲ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ଅଧିକାରୀ ଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ କେହି ବି କୌଣସି ଉତ୍ତର ରଖିନାହାନ୍ତି ।
ଏସସିବି ଉପରେ କେବଳ ରାଜ୍ୟବାସୀ ନୁହନ୍ତି ପଡୋଶୀ ରାଜ୍ୟର ଲୋକେ ଉତ୍ତମ ଚିକିତ୍ସା ପାଇଁ ନିର୍ଭର କରନ୍ତି । ଏହି ମେଡିକାଲର ଅଧିକାଂଶ କୋଠା ପ୍ରାୟ ଦେଢ଼ ଶହ ବର୍ଷରୁ ଅଧିକ । ତେଣୁ ଏହା ବିପଦ ସଂକୁଳ ଅବସ୍ଥାକୁ ଚାଲିଯାଇଛି । ପୂର୍ତ୍ତ ବିଭାଗ ଏହାର ମରାମତି କାମ ଜାରି ରଖିଥିବା ବେଳେ ଏଠାରେ ରୋଗୀ ସେବା ହେବା ଅନୁଚିତ । ଏହା ଯେତିକି ସମ୍ବେଦନଶୀଳ ସେତିକ କ୍ଷୋଭର ବିଷୟ । ବିପଦ ସଂକୁଳ ଅବସ୍ଥାରେ ଚିକିତ୍ସାସେବା ଅତିଶୀଘ୍ର ବନ୍ଦ କରି ଅନ୍ୟତ୍ର ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।