spot_img

Latest Posts

ଶିଶୁ ଯୌନ ଉତ୍ପୀଡନକାରୀଙ୍କୁ ରାଜକ୍ଷମା ପ୍ରସଙ୍ଗ: ଇସ୍ତଫା ଦେଲେ ହଙ୍ଗେରୀ ରାଷ୍ଟ୍ରପତି

ବ୍ୟୁରୋ ରିପୋର୍ଟ: ଜଣେ ଶିଶୁ ଯୌନ ଉତ୍ପୀଡନକାରୀଙ୍କୁ ରାଜକ୍ଷମା ଦେଇ ହରଡଘଣାରେ ହଙ୍ଗେରୀ ରାଷ୍ଟ୍ରପତି। କେବଳ ଏତିକି ନୁହେଁ ସାରା ଦେଶରେ ଏହାକୁ ନେଇ ତାଙ୍କୁ ସମାଲୋଚନା କରାଯିବା ପରେ ଇସ୍ତଫା ଦେଇଛନ୍ତି କାଟାଲିନ ନୋଭାକ। ଏକ ଟେଲିଭିଜନ ବାର୍ତ୍ତାରେ ସେ ନିଜର ଇସ୍ତଫା ଘୋଷଣା କରିଛନ୍ତି। ଗତ ୨୦୨୨ରେ ସେ ଦେଶର ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିଥିଲେ। ଏକ ସରକାରୀ ଶିଶୁଗୃହରେ ଜଣେ ବ୍ୟକ୍ତି ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ବି ଗତ ଏପ୍ରିଲ ୨୦୨୩ରେ ତାଙ୍କୁ ରାଜକ୍ଷମା ପ୍ରଦାନ କରିଥିଲେ ରାଷ୍ଟ୍ରପତି ନୋଭାକ।

ନିଜ ବିବୃତିରେ ନୋଭାକ କହିଛନ୍ତି- ସେ ଏକ ତ୍ରୁଟି କରିଦେଇଛନ୍ତି। ଅଭିଯୁକ୍ତଙ୍କୁ ରାଜକ୍ଷମା ପ୍ରଦାନ ପ୍ରସଙ୍ଗକୁ ନେଇ ଅନେକଙ୍କ ମନରେ ଆଘାତ ସୃଷ୍ଟି ହୋଇଛି। ଏହାକୁ କେନ୍ଦ୍ର କରି ସେ ଇସ୍ତଫା ଦେଉଛନ୍ତି। କେବଳ ସେତିକି ନୁହେଁ, ଏହି ରାଜକ୍ଷମା ପ୍ରସଙ୍ଗରେ ସହାୟତା ପ୍ରଦାନ କରିଥିବା ପୂର୍ବତନ ନ୍ୟାୟ ମନ୍ତ୍ରୀ ଜୁଡିତ ଭର୍ଗା ବି ସାଧାରଣ ଜୀବନରୁ ଦୂରେଇ ରହିବାକୁ ଘୋଷଣା କରିଛନ୍ତି।

ବିଗତ ୨୦୧୦ରୁ ହଙ୍ଗେରୀରେ ଶାସନ କରୁଛି ଫିଦେସ ପାର୍ଟି । ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ନେତୃତ୍ବରେ ଦଳ ଦୀର୍ଘ ଦିନ ଧରି ଶାସନ କରୁଛି । ତେବେ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡିକୁ ସରକାର ନଷ୍ଟ କରୁଥିବା ସହ ଅନ୍ୟାନ୍ୟ ଅଭିଯୋଗ ଦଳ ନାମରେ ରହିଛି । ପାରମ୍ପରିକ ପରିବାରର ମୂଲ୍ୟବୋଧ ଓ ଶିଶୁ ସୁରକ୍ଷା ନେଇ ସର୍ବଦା ସ୍ବର ଉତ୍ତୋଳନ କରୁଥିବା ନୋଭାକଙ୍କ ରାଜକ୍ଷମା ପ୍ରସଙ୍ଗ ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଥିଲା। ସେ ଥିଲେ ହଙ୍ଗେରୀର ପ୍ରଥମ ମହିଳା ରାଷ୍ଟ୍ରପତି ଏବଂ ସେ ସର୍ବକନିଷ୍ଠ ରାଷ୍ଟ୍ରପତି। ୨୦୦୪ରୁ ୨୦୧୬ ମଧ୍ୟରେ ଏକ ପ୍ରତିଷ୍ଠାନରେ ପ୍ରାୟ ୧୦ ଜଣ ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଆସୁଥିଲେ ପ୍ରତିଷ୍ଠାନର ନିର୍ଦ୍ଦେଶକ । ଏହି ମାମଲାରେ ତାଙ୍କୁ ୮ ବର୍ଷ ଜେଲଦଣ୍ଡ ମିଳିଥିଲା । ତେବେ ନିର୍ଦ୍ଦେଶକଙ୍କ ନାମରେ କରାଯାଇଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ଲାଗି ଅନ୍ୟ ଜଣେ ବ୍ୟକ୍ତି ପିଲାଙ୍କ ଉପରେ ଚାପ ପକାଉଥିଲେ। ଏହି ଅଭିଯୋଗ କ୍ରମେ ତାଙ୍କୁ ୩ ବର୍ଷ ସଜା ମିଳିଥିଲା। ସେହି ବ୍ୟକ୍ତିଙ୍କୁ ରାଜକ୍ଷମା ପ୍ରଦାନ କରି ବିବାଦୀୟ ହୋଇପଡିଥିଲେ ନୋଭାକ। ହଙ୍ଗେରୀର ପ୍ରଭାବଶାଳୀ ମହିଳା ଭାବେ ଫର୍ବସ ତାଲିକାରେ ୨୦୨୩ରେ ସ୍ଥାନ ପାଇଥିଲେ ନୋଭାକ।

 

Latest Posts

Don't Miss