ପେଟର ଭୋକ ଆଗରେ ହାରମାନେ ସବୁକିଛି, ଦୃଷ୍ଟିହୀନ ହୋଇ ମଧ୍ୟ ଇଟାଭାଟିରେ କରୁଛନ୍ତି କାମ

Hungry Stomach

କୋରାପୁଟ: ପେଟର ଭୋକ ଆଗରେ ହାରମାନେ ସବୁକିଛି । ସେ ସକ୍ଷମ ହେଉ ଅବା ଭିନ୍ନକ୍ଷମ । ଯେତେବେଳେ ମଣିଷ ବଞ୍ଚିବା ପାଇଁ ସଂଘର୍ଷ କରେ, ସେତେବେଳେ ଜୀବନ ବାଜିରେ ଲାଗେ । ଏମିତି ଏକ ଭିନ୍ନକ୍ଷମ ମହିଳା ହେଉଛନ୍ତି ଉମରକୋଟର ଲକ୍ଷ୍ମୀବାଇ । ଦୃଷ୍ଟି ବାଧକ ହୋଇ ମଧ୍ୟ ପେଟ ପାଇଁ ଇଟାଭାଟିରେ କାମ କରୁଛନ୍ତି । ଆଉ ସ୍ୱାମୀଙ୍କ ସହ ମିଶି ପରିବାର ଚଳାଉଛନ୍ତି । ଅନ୍ୟ ଉପରେ ଭରଷା ନକରି ଇଟାଭାଟିରେ କରୁଛନ୍ତି କାମ । ଅଣ୍ଡାଳି ଅଣ୍ଡାଳି ପେଟ ପାଇଁ ଗଢୁଛନ୍ତି ଇଟା ।

ପୁଅ ରୋଗ ଶଯ୍ୟାରେ ପଡ଼ି ଆରପାରିକୁ ଚାଲିଗଲା ପରେ ସ୍ୱାମୀଙ୍କ ସହ ମିଶି ଇଟାଭାଟିରେ କାମ କରୁଛନ୍ତି ଲକ୍ଷ୍ମୀବାଇ । ଆଉ ହଜାରେ ଇଟାକୁ ମାତ୍ର ୭ ଶହ ୫୦ଟଙ୍କା ପାଇ ଅତି ଅସହାୟ ଅବସ୍ଥାରେ ଅସ୍ଥାୟୀ କୁଡିଆରେ ଜୀବନ କାଟୁଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ଏହି ଦୃଷ୍ଟିହୀନଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ । ଦୃଷ୍ଟିହୀନ ହୋଇ ମଧ୍ୟ କାହା ଅଗାରେ ହାତ ନ ପତାଇ ସେ ନିଜେ ସ୍ୱାବଲମ୍ବୀ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ ବେଶ୍ ପ୍ରଶଂସା କରନ୍ତି । ଲକ୍ଷ୍ମୀବାଇ ସେହି ଲୋକଙ୍କ ପାଇଁ ଜଣେ ପ୍ରେରଣା, ଯେଉଁମାନେ ସକ୍ଷମ ହୋଇ ମଧ୍ୟ ଭିକ୍ଷାବୃତ୍ତିକୁ ଆପଣାଇଥାନ୍ତି । ଏମିତିକି ଅନ୍ୟଉପରେ ନିର୍ଭର କରି ଜୀବନ ବିତାଇଥାନ୍ତି ।

Leave a Reply