ସ୍ତ୍ରୀକୁ ହତ୍ୟା କରିବା ପରେ ୬ ଖଣ୍ଡ କରି ବ୍ୟାଗରେ ନେଇ ଫିଙ୍ଗି ଦେଲା ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ବିଭତ୍ସ ହତ୍ୟାକାଣ୍ଡ ପଶ୍ଚିମବଙ୍ଗରେ ରିପିଟ୍ । ସ୍ତ୍ରୀକୁ ହତ୍ୟା କରିବା ପରେ ୬ ଖଣ୍ଡ କରି ହାଣି ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଲା ସ୍ବାମୀ । କୋଲକାତା ଉତ୍ତର ୨୪ ପରଗଣା ଜିଲ୍ଲା ମଧ୍ୟମ ଥାନା ଯୋଜରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ବାମୀ ନୁରଉଦ୍ଦିନ ମଣ୍ଡଳ ସ୍ତ୍ରୀ ସାୟରା ବାନୁ ନିଖୋଜ ଅଛି ବୋଲି  ଥାନାରେ ଲିଖିତ ଅଭିଯୋଗ କରିଥିଲା । ସ୍ବାମୀର ଅଭିଯୋଗ ପରେ ପୋଲିସ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ସାୟରା ବାନୁର ପତ୍ତା ମିଳିନଥିଲା । ତେବେ ପୋଲିସ ଉଦ୍ଦିନ ମଣ୍ଡଳକୁ ଡାକି ପତ୍ନୀ ବିଷୟରେ ପଚାରିବାରୁ ସେ ସବୁବେଳେ ମିଛ କହି ଆସୁଥିଲା । କିନ୍ତୁ ଆଜି ହଠାତ୍ ନୁରଉଦ୍ଦିନ ପୋଲିସ ଆଗରେ ସବୁ ସତକଥା ମାନିଥିଲା । କହିଥିଲା  ଘରେ ଥିବା ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ଛଅ ଖଣ୍ଡ କରିଥିଲା । ପରେ ମୃତଦେହକୁ ଲୁଚାଇବା ପାଇଁ ବ୍ୟାଗରେ ଭର୍ତ୍ତି କରି ଏକ କେନାଲରେ ଫିଙ୍ଗି ଦେଇଥିଲା । ସନ୍ଦେହ ନହେବା ପାଇଁ ମିଛ ଏତଲା ଦାୟର କରିଥିଲା ଅଭିଯୁକ୍ତ ନୁରଉଦ୍ଦିନ ମଣ୍ଡଳ । ତେବେ ଏହି ହତ୍ୟାକାଣ୍ଡରେ ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ଏ ନେଇ ପୋଲିସ ତଦନ୍ତ ଚଳାଇଛି ।