ସ୍ତ୍ରୀ ଶୁଦ୍ଧିକ୍ରିୟାରେ ସ୍ବାମୀର ମୃତ୍ୟୁ, ଅନାଥ ହୋଇଗଲେ ଦୁଇ ପିଲା

ଭଦ୍ରକ: ପ୍ରଥମେ ମାଆ ଚାଲିଗଲା, ତା’ପରେ ହାତ ଛାଡ଼ି ଦେଲେ ବାପା । ଜୀବନ କ’ଣ ଜାଣିବା ପୂର୍ବରୁ ଗୋଟିଏ ଦିନରେ ଅନାଥ ହୋଇଗଲେ ଦୁଇ କୁନି ପିଲା । ସ୍ତ୍ରୀର ଶୁଦ୍ଧି ପାଇଁ ଯାଇ ଘାଟରେ ଚାଲିଗଲା ସ୍ବାମୀର ଜୀବନ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳଛି ଭଦ୍ରକ ବ୍ଲକ ବଣିଆ ପଞ୍ଚାୟତ ଅଧିନ ପେଡ଼ାସାହି ଗ୍ରାମରେ । ସ୍ତ୍ରୀଙ୍କ ମୃତ୍ୟୁର ୧୦ ଦିନ ଭିତରେ ଚାଲିଯାଇଛି ସ୍ବାମୀର ଜୀବନ ।

ଗାଁ ମୁଣ୍ଡରେ ଚାଲିଥିଲା ଶୁଦ୍ଧିକ୍ରିୟା । ଅନେକ ଲଣ୍ଡା ହୋଇଥିଲେ । ଆଉ କିଛି ବାକିଥିଲେ । କିନ୍ତୁ ଘାଟକୁ ଆସିଲା ଅଶୁଭ ଖବର । ସ୍ତ୍ରୀର ଦଶାହ କର୍ମରେ ଚାଲିଗଲା ସ୍ବାମୀ ନରହରି ପେଡାଙ୍କ ଜୀବନ । କିଏ କିଛି ବୁଝିବା ପୂର୍ବରୁ ଅନାଥ ହୋଇଗଲେ ଦୁଇ କୁନି ପିଲା । ଅଟୋ ଚଳାଇ ରୋଗୀଣା ସ୍ତ୍ରୀ ଓ ଦୁଇ ପୁଅଝିଅଙ୍କ ପେଟ ପାଳୁଥିଲେ । ଦୁଇବର୍ଷ ତଳେ ସ୍ତ୍ରୀ ଇତିଶ୍ରୀ ଟିବି ରୋଗରେ ଆକ୍ରାନ୍ତ ହେଲେ । ନିଜର ସ୍ବଳ୍ପ ରୋଜଗାରରେ ଯଥାସାଧ୍ୟ ଚିକିତ୍ସା କରିଥିଲେ ନରହରି । ଅଟୋରୁ ଯାହା ରୋଜଗାର ହୁଏ ଔଷଧ ସହ ଯେନତେନ ଘର ଚଳାଇ ନେଉଥିଲେ । ହେଲେ ଗତ ୨୪ରେ ଇତିଶ୍ରୀ ତାଙ୍କ ହାତ ଛାଡ଼ିଦେଲେ । ପୋଖରୀରେ ଦଶାହ କର୍ମ ଚାଲିଥିବାବେଳେ ନରହରି ମଧ୍ୟ ମୃତ୍ୟୁ ହେଲା ।

ଅଭାବ ଭିତରେ ଚାଲିଥିଲା ନରହରିଙ୍କ ସଂସାର । ଏବେ ସେ ଚାଲିଯିବା ପରେ ଶୁଦ୍ଧିକ୍ରିୟା ପାଇଁ ଗ୍ରାମବାସୀ ଚାନ୍ଦା କରିଛନ୍ତି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୁଦ୍ଧିକ୍ରିୟା ପାଇଁ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଆଶ୍ରମ ସ୍କୁଲରେ ଦୁଇ ପିଲାଙ୍କ ଥଇଥାନ ସହ ପାଠ ପଢ଼ାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲା ମଙ୍ଗଳ ଅଧିକାରୀ ମଧ୍ୟ ଗାଁକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

ଦୁନୀଆ କ’ଣ ଜାଣିବା ପୂର୍ବରୁ ଅନାଥ ହୋଇଯାଇଛନ୍ତି ୬ ବର୍ଷର ଝିଅ ଓ ୨ ବର୍ଷର ପୁଅ । ଏବେ ପ୍ରଶାନର ସହାୟତା ଉପରେ ହିଁ ନିର୍ଭର କରୁଛି ତାଙ୍କ ଭବିଷ୍ୟତ ।