ମୋଦିଙ୍କ ଆଖିରେ ଡର ଦେଖିଛି, ମୁଁ କ୍ଷମା ମାଗିବି ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ସାଂସଦ ପଦ ରଦ୍ଦ ପରେ ରାହୁଲ ଗାନ୍ଧୀଙ୍କ ପ୍ରେସମିଟ୍‌ । ଆଦାନୀ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବନ୍ଧୁତା ବେସ୍ ପୁରୁଣା । ମୁଁ ପ୍ରମାଣ ସହ ଲୋକସଭାରେ ଏହି କଥା ରଖିଥିଲି । ଏୟାରପୋର୍ଟ୍ ଆଦାନୀଙ୍କୁ ନିୟମ ବଦଳାଇ ଦିଆଯାଇଥିଲା। ଏହି ବାବଦରେ ମୁଁ ପ୍ରମାଣ ମଧ୍ୟ ଲୋକସଭା ବାଚସ୍ପତିଙ୍କୁ ଦେଇଥିଲି । ଏହାପରେ ସଂସଦରେ ମୋ ବାବଦରେ ମନ୍ତ୍ରୀମାନେ ମିଛ କହିଥିଲେ । କୁହାଯାଇଥିଲା ଯେ, ମୁଁ ବିଦେଶୀ ମାଟିରେ ବିଦେଶୀ ଦେଶଙ୍କଠାରୁ ସାହାଯ୍ଯ ମାଗିଥିଲି । ମୁଁ ଏ ବାବଦରେ ବାଚସ୍ପତିଙ୍କୁ ପତ୍ର ଲେଖିଥିଲି । ମୁଁ ଲେଖିଥିଲି ଯେ, ଜଣକ ବିଷୟରେ ଯେତେବେଳେ ଆରୋପ ଲଗାଯାଏ ସେତେବେଳେ ତାଙ୍କୁ କହିବାର ସୁଯୋଗ ଦେବା ଆବଶ୍ୟକ । ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ମୋତେ ଉତ୍ତର ମିଳିନଥିଲା । ଏହାପରେ ମୁଁ ବାଚସ୍ପତିଙ୍କ ଅଫିସ ଯାଇ ତାଙ୍କୁ ଦେଖା କରିଥିଲି । ମୁଁ ତାଙ୍କୁ ପଚାରିଥିଲି ଯେ, ମୋତେ କହିବା ପାଇଁ ସୁଯୋଗ କାହିଁକି ମିଳୁନାହିଁ। ଉତ୍ତରରେ ସ୍ପିକର ହସିଥିଲେ ଓ କହିଥିଲେ ମୁଁ ସୁଯୋଗ ଦେଇ ପାରିବି ନାହିଁ। ତା ପରେ ଯାହା ହୋଇଥିଲା ଆପଣମାନେ ଜାଣିଛନ୍ତି । ମୁଁ କିନ୍ତୁ ପ୍ରଶ୍ନ ପଚାରିବା ଜାରି ରଖିବି । ୨୦ ହଜାର କୋଟି ଟଙ୍କା ଆଦାନୀଙ୍କ ସେଲ୍ କମ୍ପାନୀରେ ଅଛି। ଏହି ଟଙ୍କା କେଉଁଠୁ ଆସିଲା ଓ ଏହା କାହାର ଟଙ୍କା । ଜଣେ ଚାଇନା ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି। କ’ଣ ପାଇଁ କେହି ସେହି ଚୀନ ବ୍ୟକ୍ତି କିଏ କାହିଁକି କିଛି କୁହାଯାଉନାହିଁ ବୋଲି ପ୍ରେସମିଟରେ କହିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି କି ମୁଁ ଭାରତର ଗଣତନ୍ତ୍ର ପାଇଁ ଲଢ଼ୁଛି । ମୋତେ ଧମକାଇ ଚୁପ୍ କରାଯାଇ ପାରିବ ନାହିଁ । ଆଦାନୀଙ୍କର ଅନେକ ନକଲି କମ୍ପାନୀ ଅଛି । ସଂସଦରେ ମୋ ଭାଷଣକୁ ହଟାଯାଇଛି । ମୁଁ କାହାକୁ ଡରୁନାହିଁ । ସେମାନେ ସମସ୍ତଙ୍କୁ ଡରାଇ ରଖିଛନ୍ତି କିନ୍ତୁ ମୋତେ ଡରାଇ ପାରିବେ ନାହିଁ । ଆଦାନୀ ଓ ମୋଦିଙ୍କ ମଧ୍ୟରେ ଗଭୀର ସହଯୋଗୀତା ରହିଛି ବୋଲି କହିଛନ୍ତି ରାହୁଲ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଲୋକଙ୍କ ମଧ୍ୟରେ ସାଢ଼େ ୪ ମାସ ରହିବି । ଏହା ମୋ କାମ ଓ ମୁଁ କରିବି । ଆଗରୁ ରାଜନୈତିକ ଦଳଙ୍କୁ ଯେଉଁ ସହଯୋଗ ମିଡିଆ ଓ ଅନୁଷ୍ଠାନରୁ ମିଳୁଥିଲା ଏବେ ତାହା ମିଳୁନି । ତେଣୁ କେବଳ ଲୋକଙ୍କ ଭିତରକୁ ଯିବାକୁ ପଡ଼ିବ । ସେହିପରି ଓବିସିଙ୍କୁ ଅପମାନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ବିଜେପି ଧ୍ୟାନ ହଟାଇବାକୁ ଏମିତି କହୁଛି । ମୁଁ ସବୁ ବର୍ଗଙ୍କୁ ସମ୍ମାନ ଦିଏ । ତେବେ ଏଠାରେ ପ୍ରଶ୍ନ ହେଉଛି ୨୦ ହଜାର କୋଟି କାହାର । ଆଉ ସେହି ଟଙ୍କା ଆଦାନୀଙ୍କର ନୁହେଁ । ମୋତେ ମାରନ୍ତୁ, ପିଟନ୍ତୁ। ଜେଲରେ ରଖନ୍ତୁ। ମୁଁ ପ୍ରଶ୍ନ କରିବି। ସତ୍ୟ କହିବି । ଏହି ଦେଶ ମୋତେ ସବୁକିଛି ଦେଇଛି । ତେଣୁ ମୁଁ ଏହା କରୁଛି ।

ବିଜେପି ନେତାଙ୍କ କାମ ହେଉଛି ମୋତେ ଆକ୍ରମଣ କରିବା । ସେମାନେ ନରେନ୍ଦ୍ର ମୋଦିଙ୍କୁ ଡରନ୍ତି । ବିଜେପି ନେତା ସବୁ ଜାଣିଛନ୍ତି କିନ୍ତୁ ମୋଦିଙ୍କୁ ଡରୁଛନ୍ତି। ମୋଦି କହିଲେ ଧ୍ୟାନ ହଟାଅ ତେଣୁ ସେମାନେ ଏମିତି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋର ଆଗାମୀ ଭାଷଣକୁ ନେଇ ଭୟଭୀତ ଥିଲେ । ମୁଁ ତାଙ୍କ ଆଖି ଦେଖିଛି । ସେ ଭୟଭୀତ ଥିଲେ ଯେ, ଆଗାମୀ ଭାଷଣରେ ଆଦାନୀଙ୍କ ବାବଦରେ କ’ଣ କହିବି। ତେଣୁ ମୋ ସଦସ୍ୟତା ରଦ୍ଦ କରାଯାଇଛି । ମୋତେ ସଦସ୍ୟତା ମିଳୁ କି ନ ମିଳୁ ମୁଁ ମୋ କାମ କରିବି। ମୋତେ ସେମାନେ ସ୍ଥାୟୀ ଭାବେ ଏକ୍ସପେଲ କରିଦେଲେ ମଧ୍ୟ ମୁଁ ମୋ କାମ କରିବି। ମୋତେ ପୁଣି ସଦସ୍ୟତା ମିଳିଲେ ମଧ୍ୟ ମୁଁ ମୋ କାମ କରିବି । ଜନତା ଜାଣିଛନ୍ତି ଆଦାନୀ ଭ୍ରଷ୍ଟ। ଲୋକ ଏବେ ଜାଣିବାକୁ ଚାହୁଁଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜଣେ ଭ୍ରଷ୍ଟ ବ୍ୟକ୍ତିଙ୍କୁ କାହିଁକି ବଂଚାଇବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧୀଙ୍କୁ ଅନେକ ବିରୋଧୀ ଦଳ ସମର୍ଥନ କରିଛନ୍ତି ଏହି ପ୍ରସଙ୍ଗରେ ସେ କହିଛନ୍ତି କି ମୁଁ ବିରୋଧୀ ଦଳଙ୍କ ପ୍ରତି କୃତଜ୍ଞ । ଆମେ ମିଶିକରି କାମ କରିବୁ ।

ମୁଁ ସଂସଦରେ ରୁହେ କି ନ ରୁହେ ମୋତେ ଫରକ ପଡେନି । ମୁଁ କ୍ଷମା ମାଗିବି ନାହିଁ । ମୁଁ ସାବରକର ନୁହେଁ । ମୁଁ ଗାନ୍ଧୀ । ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ । ମୋତେ ସବୁଦିନ ପାଇଁ ଅଯୋଗ୍ୟ ଘୋଷଣା କରିଦିଅନ୍ତୁ । କିନ୍ତୁ ମୁଁ ଯାହା କହୁଛି ତାହା କହିବି। ଦେଶରେ ଗଣତନ୍ତ୍ର ମରିଯାଇଛି। ଲୋକ ଯାହା କହିବାକୁ ଚାହୁଁଛନ୍ତି ତାହା କହି ପାରୁନାହାନ୍ତି। ମୁଁ କାହାକୁ ଡରୁନି । ମୋଦିଙ୍କ ଆଖିରେ ମୁଁ ଡର ଦେଖିଛି। ସେ ମୋର ଆଗାମୀ ଭାଷଣକୁ ଡରି ଏମିତି କରିଛନ୍ତି ବୋଲି କହିଛନ୍ତି ରାହୁଲ ।