ସେଞ୍ଚୁରିଆନରେ ଶତକ ଫଳରେ ଟେଷ୍ଟ ରାଙ୍କିଂରେ ୧୮ଟି ସ୍ଥାନ ଉପରକୁ ଉଠିଲେ ରାହୁଲ

1 min read

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡିସେମ୍ବର ୨୬ରେ ସେଞ୍ଚୁରିଆନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୧୧୩ ରନରେ ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଦମଦାର ଶତକ ହାସଲ କରିଥିଲେ ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲ । ଏହି ଶତକ ଫଳରେ ରାହୁଲ ICC ତରଫରୁ ଜାରି ହୋଇଥିବା ଟେଷ୍ଟ ପ୍ଲେଆର ରାଙ୍କିଂରେ ୧୮ଟି ସ୍ଥାନ ଉପରକୁ ଉଠିଛନ୍ତି । ବର୍ତ୍ତମାନ ଟେଷ୍ଟରେ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ କେଏଲ ରାହୁଲ ୩୧ତମ ସ୍ଥାନରେ ରହିଛନ୍ତି । ICC ରାଙ୍କିଂରେ ରାହୁଲଙ୍କ ସର୍ବଶ୍ରେଷ୍ଠ ସ୍ଥାନ ୮ ରହିଛି । ୨୦୧୭ ମସିହାରେ ରାହୁଲ ICC ରାଙ୍କିଂରେ ୮ ନମ୍ବରରେ ରହିଥିଲେ ।

ସେଞ୍ଚୁରିୟନ ଟେଷ୍ଟରେ ଦମଦାର ବ୍ୟାଟିଂ ଫଳରେ ମୟଙ୍କ ଅଗ୍ରଓ୍ୱାଲ ବି ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ମୟଙ୍କ ବ୍ୟତୀତ ଆଜିଙ୍କେ ରାହାଣେ ବି ଦୁଇଟି ସ୍ଥାନ ଉପରକୁ ଉଠି ବର୍ତ୍ତମାନ ୨୫ତମ ସ୍ଥାନରେ ରହିଛନ୍ତି । କିନ୍ତୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏହି ତାଲିକାରେ ତଳକୁ ଖସିଛନ୍ତି । ଦୁଇଟି ସ୍ଥାନ ତଳକୁ ଖସି ସେ ବର୍ତ୍ତମାନ ନବମ ସ୍ଥାନରେ ରହିଛନ୍ତି । ଏହି ଲିଷ୍ଟରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସାନେ ଶୀର୍ଷ ସ୍ଥାନରେ ରହିଛନ୍ତି ।

ବୋଲିଂ କଥା ଯଦି କହିବା ତାହାଲେ ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ଏହି ରାଙ୍କିଂରେ ଉପରକୁ ଉଠିଛନ୍ତି । ସେଞ୍ଚୁରିୟନ ଟେଷ୍ଟରେ ୫ ଓ୍ୱିକେଟ ହାସଲ କରି ତିନୋଟି ସ୍ଥାନ ଉପରକୁ ଉଠିଛନ୍ତି ବୁମ୍ରା । ବର୍ତ୍ତମାନ ବୁମ୍ରା ବୋଲିଂ ଲିଷ୍ଟରେ ନବମ ସ୍ଥାନରେ ରହିଛନ୍ତି । ସେହିପରି ଭାବରେ ସେଞ୍ଚୁରିୟନ ଟେଷ୍ଟରେ ୮ ଓ୍ୱିକେଟ ଫଳରେ ମହମ୍ମଦ ଶାମି ୧୭ତମ ସ୍ଥାନରେ ରହିଛନ୍ତି । ଏହି ଲିଷ୍ଟରେ ଶୀର୍ଷ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ ପ୍ୟାଟ କମିନ୍ସ ।

 

Leave a Reply