ଦୁଇଟି ଡୋଜ୍‌ ଟିକା ନେବା ପରେ ବି ୭୬ ପ୍ରତିଶତ କରୋନା ସଂକ୍ରମିତ: ଅଧ୍ୟୟନ

1 min read

ନୂଆଦିଲ୍ଲୀ: କରୋନାର ଏକ ମାତ୍ର ସଞ୍ଜୀବନୀ ହେଉଛି ଭ୍ୟାକ୍ସିନ। ଭ୍ୟାକ୍ସିନ ନେବା ଦ୍ୱାରା ଆମେ କରୋନାଠୁ ଦୁରେଇ ରହିପାରିବା। କିନ୍ତୁ ଏମିତି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି ଯାହା ଆଶଙ୍କା ଭିତରକୁ ଠେଲି ଦେଉଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ICMR। କରୋନା ଟିକାକରଣ ଏବଂ ସଂକ୍ରମଣ ସମ୍ବନ୍ଧରେ ଦେଶର ପ୍ରଥମ ଅଧ୍ୟୟନ ପ୍ରକାଶ କରିଛି। ଯାହା ଅନୁଯାୟୀ ୭୬ ପ୍ରତିଶତ ଲୋକ ଭ୍ୟାକ୍ସିନର ଦୁଇଟି ଯାକ ଡୋଜ ନେବା ପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମଣର ଶିକାର ହେବା ପରେ, ଏମାନଙ୍କ ମଧ୍ୟରୁ କେବଳ ୧୬ ପ୍ରତିଶତ ଲୋକ ବିନା ଲକ୍ଷଣ ଥିବା କରୋନା ସଂକ୍ରମିତ ମିଳିଥିଲେ। ଖାଲି ସେତିକି ନୁହେଁ ଏମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ଲୋକଙ୍କର ଦେହ ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା।

ଅଧ୍ୟୟନ ସମୟରେ ୩୬୧ ଜଣଙ୍କ ମଧ୍ୟରୁ ୨୭୪ ଜଙ୍କର RT PCR ପରୀକ୍ଷାରେ କରୋନା ପଜିଟିଭ ଥିବା ଜଣାପଡ଼ିଛି। ଏହି ବ୍ୟକ୍ତିମାନେ ଭ୍ୟାକ୍ସିନର ଦୁଇଟି ଡୋଜ ନେବାର ୧୪ ଦିନ ପରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ। କୋଭିଶିଲ୍ଡ ଏବଂ କୋଭାକ୍ସିନକୁ ନେଇ ଚାଲିଥିବା ବିବାଦ ଉପରେ ଆଇସିଏମଆର ସ୍ପଷ୍ଟ କରିଛି ଯେ କୋଭିଶିଲ୍ଡ ନେଉଥିବା ଲୋକଙ୍କଠାରେ ଅଧିକ ଆଣ୍ଟିବଡି ଉତ୍ପାଦନ ହେଉଥିବା ବେଳେ କୋଭାକ୍ସିନ ନେଉଥିବା ଲୋକଙ୍କ ମଧ୍ୟରେ ମାତ୍ର ୭୭ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି।

ମେଡିକାଲ ଜର୍ଣ୍ଣାଲ ରିସର୍ଚ୍ଚ ସ୍କୋୟାରରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ ଟିକା ନେଇଥିବା ୩୬୧ ଜଣଙ୍କ ନମୁନା ଭୁବନେଶ୍ୱରର ଆଇସିଏମଆର ଆଞ୍ଚଳିକ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଛି। ଅନୁସନ୍ଧାନରେ, ସମସ୍ତ ନମୁନା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ଟିକାର ଦୁଇଟି ଡୋଜ ନେଇ ନଥିଲେ ୮୭ ଜଣଙ୍କୁ ଏହି ଅଧ୍ୟୟନରୁ ବାଦ ଦିଆଯାଇଥିଲା। ଦୁଇଟି ଡୋଜ ନେଇଥିବା ୨୭୪ ଜଣଙ୍କ ମଧ୍ୟରୁ ୩୫ ଜଣ କୋଭାକ୍ସିନର ଉଭୟ ଡୋଜ ନେଇଥିଲେ ଏବଂ ଅନ୍ୟ ୨୩୯ ଜଣ କୋଭିଶିଲ୍ଡର ଉଭୟ ଡୋଜ ନେଇଥିଲେ।

ଚଳିତ ବର୍ଷ ମାର୍ଚ୍ଚ ୧ ରୁ ଜୁନ୍ ୧୦ ପର୍ଯ୍ୟନ୍ତ ଚାଲିଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ କୋଭାକ୍ସିନର ଉଭୟ ଡୋଜ ନେବା ପରେ ସଂକ୍ରମିତ ହୋଇଥିବା ୪୩ ପ୍ରତିଶତ ଲୋକ ଦ୍ୱିତୀୟ ଲହର ସମୟରେ କୋଭିଡ ୱାର୍ଡରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମୀ ଅଟନ୍ତି। ୧୦ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ କୋଭିଶିଲ୍ଡ ନେବା ପରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଯଦି ଦେଖିବା ଏମାନଙ୍କ ମଧ୍ୟରେ ଟିକା ନେବାର ୪୫ ଦିନ ପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ଏବଂ  କୋଭାକ୍ସିନ୍ ନେଇଥିବା ଲୋକମାନଙ୍କ ମଧ୍ୟରେ ୩୩ ଦିନ ମଧ୍ୟରେ ସଂକ୍ରମଣ ଘଟିଛି।

ଅଧ୍ୟୟନ ସମୟରେ କୋଭିଶିଲ୍ଡ ନେଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଆଇସିଏମଆର ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ଟିକା ଗ୍ରହଣ କରିବା ପରେ ଯେଉଁମାନେ କରୋନା ସଂକ୍ରମିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ୯.୯ ପ୍ରତିଶତ ବ୍ୟକ୍ତି ଡାକ୍ତରଖାନାରେ ଆଡମିଶନ ହୋଇଥିଲେ। ୧୧ ଦିନ ପରେ ସୁସ୍ଥ ହେବାରୁ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା।

କୋଭାକ୍ସିନ ଏବଂ କୋଭିଶିଲ୍ଡ ଡେଲ୍ଟା ଭ୍ୟାରିଆଣ୍ଟକୁ ସାମ୍ନା କରିବାର ସାମର୍ଥ୍ୟ ରଖୁଛି ବୋଲି ଦାବି କରୁଥିବା ବେଳେ ବୈଜ୍ଞାନିକ ମାନେ କିନ୍ତୁ କିଛି ଅଲଗା ଯୁକ୍ତି ବାଢ଼ିଛନ୍ତି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଟୀକାକରଣ ପରେ ମଧ୍ୟ ଡେଲଟା ଭ୍ୟାରିଆଣ୍ଟ ଦ୍ୱାରା ଲୋକ ସଂକ୍ରମିତ ହୋଇପାରନ୍ତି। କାରଣ ଡେଲଟା ଭ୍ୟାରିଆଣ୍ଟ ଆଣ୍ଟିବଡି ହ୍ରାସ କରିଥାଏ।

 

Leave a Reply