IG ପିତା ସିପାହୀଙ୍କୁ ବରଖାସ୍ତ କଲେ: ଓକିଲ ଝିଅ କେସ ଲଢ଼ିଲେ, ଚାକିରି ଫେରି ପାଇଲେ ସିପାହୀ

ଉତ୍ତରପ୍ରଦେଶର ବରେଲୀରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏକ ଅସଦାଚରଣ ମାମଲାରେ ଜିଆରପି କନଷ୍ଟେବଳ ତୌଫିକ ଅହମଦଙ୍କୁ ଆଇଜି ରାକେଶ ସିଂହ ଚାକିରିରୁ ବରଖାସ୍ତ କରିଥିଲେ । ମାତ୍ର ଏହି ଘଟଣାଟି ସେତେବେଳେ ରୋମାଞ୍ଚକର ମୋଡ଼ ନେଇଥିଲା, ଯେତେବେଳେ ଆଇଜିଙ୍କ ଝିଅ ଅନୁରା ସିଂହ ଉକ୍ତ କେସ ଲଢ଼ିଥିଲେ । ଅନୁରା ଏହି କେସ ଲଢ଼ି ତୌଫିକଙ୍କୁ ନ୍ୟାୟ ପ୍ରଦାନ କରିଥିଲେ ଓ ସିପାହୀ ତୌଫିକ ତାଙ୍କର ଚାକିରି ପୁଣି ଫେରି ପାଇଥିଲେ ।
ତେବେ ପିତାଙ୍କ ଦ୍ବାରା ଚାକିରିରୁ ବରଖାସ୍ତ ହୋଇଥିବା ଜଣେ ସିପାହୀ ଝିଅଙ୍କ ଦ୍ବାରା ଚାକିରି ଫେରି ପାଇଛନ୍ତି । ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । ୨୦୨୩ ମସିହାରେ ତୌଫିକଙ୍କ ବିରୋଧରେ ପକ୍ସୋ ଆକ୍ଟ ଲାଗିବା ସହ ତାଙ୍କୁ ଗିରଫ କରି ଜେଲ ପଠାଯାଇଥିଲା । ବିଭାଗୀୟ ଯାଞ୍ଚରେ ମଧ୍ୟ ତୌଫିକ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଇଜିଙ୍କ ନିଷ୍ପତ୍ତିକୁ ବିରୋଧ କରି ତୌଫିକ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆଜିଙ୍କ ଝିଅ ଅନୁରା କୋର୍ଟରେ ତୌଫିକଙ୍କ କେସ ଲଢ଼ିଥିଲେ । ତୌଫିକଙ୍କୁ ଚାକିରିରୁ ବାହାର କରିବାର ଆଦେଶକୁ ରଦ୍ଦ କରିବାକୁ ଅନୁରା କୋର୍ଟରେ ଦାବି କରିଥିଲେ । ଉଭୟପକ୍ଷଙ୍କ କଥା ଶୁଣିବା ପରେ ତୌଫିକଙ୍କୁ ଚାକିରିରୁ ବାହାର କରିବା କାର୍ଯ୍ୟାନୁଷ୍ଠାନକୁ ହାଇକୋର୍ଟ ଭୁଲ୍ ବୋଲି ଦର୍ଶାଇଥିଲେ । ବିଭାଗୀୟ ଯାଞ୍ଚ ରିପୋର୍ଟ ଓ ବରଖାସ୍ତ ଆଦେଶକୁ ରଦ୍ଦ କରିବାକୁ କୋର୍ଟ ଆଦେଶ ଦେଇଥିଲେ । ଏଥିସହିତ ତୌଫିକଙ୍କୁ ପୋଲିସ ସେବାରେ ପୁଣି ଯୋଗ ଦେବାକୁ କୋର୍ଟ ଆଦେଶ ଦେଇଥିଲେ ।