spot_img

Latest Posts

ସୌନ୍ଦର୍ଯ୍ୟକରଣ ନାଁରେ ଆଧ୍ୟାତ୍ମିକ ଦିଗକୁ ଅଣଦେଖା: ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ମନରେ ଆଘାତ

ପୁରୀ: ସୌନ୍ଦର୍ଯ୍ୟକରଣ ନାଁରେ ଆଧ୍ୟାତ୍ମିକ ଦିଗକୁ ଅଣଦେଖା। ବିକାଶ ନାଁରେ ପ୍ରାଚୀନ ସଂସ୍କୃତିକୁ କ୍ଷୂଣ୍ଣ କରାଯିବାର ଅଭିଯୋଗ। ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ମନରେ ଏହା ଆଘାତ ଦେଇଛି। ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପତିତପାବନ ମନ୍ଦିର ଉପରେ ଥିବା ଦଶାବତାର ମୂର୍ତ୍ତିକୁ ଅପସାରଣ କରାଯାଇଛି। ଦଶାବତାର ମୂର୍ତ୍ତିକୁ ହଟାଯାଇ କରାଯାଇଛି ରୁପା ଛାଉଣୀ । ଯେତେବେଳେ ସେବାୟତ, ଭକ୍ତ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ, ସେତେବେଳେ ପତିତପାବନଙ୍କ ସହିତ ଦଶାବତାର ମୂର୍ତ୍ତିଙ୍କୁ ଦର୍ଶନ କରୁଥିଲେ। କିନ୍ତୁ ଏବେ ସେହି ଦଶାବତାର ମୂର୍ତ୍ତିକୁ ଅପସାରଣ କରାଯାଇଥିବାରୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି ସମସ୍ତେ। ଏହାକୁ ନେଇ ସେବାୟତ, ଭକ୍ତ ଓ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ରୂପା ଛାଉଣୀ କରାଯିବା ଠିକ୍ କଥା। କିନ୍ତୁ ଐତିହ୍ୟ, ପରମ୍ପରାର ବ୍ୟତିକ୍ରମ କାହିଁକି କରାଯିବ। ଏହାକୁ ଅପସଂସ୍କୃତି ଓ କଳାପାହାଡ଼ ଭଳି କାମ ବୋଲି ସମାଲୋଚନା କରାଯାଇଛି। ପ୍ରାଚୀନ ଦଶାବତାର ମୂର୍ତ୍ତିକୁ ପୁନଃସ୍ଥାପନ କରିବାକୁ ଦାବି କରିଛନ୍ତି ସେବାୟତ ଓ ଭକ୍ତ।

ଆଗରୁ ଶ୍ରୀମନ୍ଦିରର ସିଂହଦ୍ଵାରରେ ମଧ୍ୟ ଦଶାବତାର ମୂର୍ତ୍ତି ଥିଲା। ଗୁମୁଟ ମରାମତି ବେଳେ ସେହି ମୂର୍ତ୍ତି ହଟାଯାଇଛି। ଖାଲି ପଡ଼ିଛି ସେହି ସ୍ଥାନ। ପତିତପାବନଙ୍କ ନିକଟରେ ଯେଉଁ ଦଶାବତାର ମୂର୍ତ୍ତି ଥିଲା, ତାକୁ ମଧ୍ୟ ଏବେ ଅପସାରଣ କରାଯାଇଛି। ସେହି ସ୍ଥାନରେ ଗତ ଡିସେମ୍ଵର ୩୧ ତାରିଖରେ କରାଯାଇଛି ରୂପା ଛାଉଣୀ। ଯେଉଁ ମୂର୍ତ୍ତି ସବୁ ଅପସାରଣ କରାଯାଇଛି, ସେଗୁଡ଼ିକ ବହୁ ପ୍ରାଚୀନ। ସେହି ମୂର୍ତ୍ତି ସବୁର କୌଣସି ତୁଳନା ନାହିଁ। ଆଧ୍ୟାତ୍ମିକ ଦିଗ ମଧ୍ୟ ଜଡ଼ିତ ରହିଛି। ଭକ୍ତଙ୍କ ଭାବଗତ ସଂପର୍କ ରହିଛି। ସୌନ୍ଦର୍ଯ୍ୟକରଣ ଓ ବିକାଶ ନାଁରେ ଏପରି ପ୍ରାଚୀନ ମୂର୍ତ୍ତିଗୁଡ଼ିକୁ ହଟାଯାଇଥିବାରୁ ତାକୁ ନାପସନ୍ଦ କରିଛନ୍ତି ଭକ୍ତ, ବୁଦ୍ଧିଜୀବୀ। ଏପରିକି ସେହି ପ୍ରାଚୀନ ମୂର୍ତ୍ତି ସବୁ କେଉଁଠି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଭକ୍ତଙ୍କ ଭାବାବେଗ ସହିତ ଜଡ଼ିତ ଥିବା, ଜଗନ୍ନାଥି ସଂସ୍କୃତି ସହିତ ଆଧ୍ୟାତ୍ମିକ ଗୁରୁତ୍ଵ ଥିବା ମୂର୍ତ୍ତିର ଅପସାରଣକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀଜଗନ୍ନାଥଙ୍କ ଭକ୍ତ। ଏହା କେଉଁ ପ୍ରକାର ଓଡ଼ିଆ ଅସ୍ମିତା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Latest Posts

Don't Miss